ସଂଜୟ ଶତପଥୀ(କଟକ):-ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମନ୍ବୟ ଆନୁକୁଲ୍ୟରେ ବିଡାନାସୀ ଚହଟା ଘାଟ ଶ୍ରୀ ଚହଟେଶ୍ଵରଙ୍କ ପବିତ୍ର ପୀଠରେ ଡକ୍ଟର ପ୍ରାଣ କୃଷ୍ଣ ପରିଜାଙ୍କ ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଅଛି।
ପଣ୍ଡିତ ଦିଲ୍ଲୀପ କୁମାର ସାବତ ଶିବସ୍ତୁତି ଗାନକଲାପରେ କାର୍ଯ୍ୟକାରୀ ସମ୍ପାଦକ ଆଡଭୋକେଟ ଆଲୋକ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନୁଷ୍ଠାନର ସଭାପତି ସାହିତ୍ୟିକ ଦୁଃଖି ଶ୍ୟାମ ଦାସ ଅଧ୍ୟକ୍ଷତା କରି କହିଲେ ଯେ ପରିଜା ସାହେବ ଥିଲେ ଜଣେ ସ୍ୱନାମଧନ୍ୟ ସାହିତ୍ୟିକ। ସରଳ ଓ ସାବଲୀଳ ଭାଷାରେ ପ୍ରବନ୍ଧ ରଚନା କରିବାରେ ସେ ଥିଲେ ସିଦ୍ଧହସ୍ତ। ଉତ୍କଳ ସାହିତ୍ୟ, ମୁକୁର ଆଦିରେ ତାଙ୍କ ଲେଖା ପ୍ରକାଶିତ ହେଉଥିଲା। ଭାଷା,ସାହିତ୍ୟ ଓ ସଂସ୍କୃତିର ସେ ଥିଲେ ବଳିଷ୍ଠ ପୃଷ୍ଠପୋଷକ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି।
ଆଡଭୋକେଟ ବଂଶୀଧର ଶତପଥୀ ଡକ୍ଟର ପରିଜା ସାହେବଙ୍କ ଉପରେ ଏକ ସୁଖ ପାଠ୍ୟ ଓ ସାରଗର୍ଭକ ପ୍ରବନ୍ଧ ପାଠ କରିଥିଲେ। ଜଷ୍ଟିସ ମନୋରଞ୍ଜନ ମହାନ୍ତି କହିଲେ ଯେ ପରିଜା ସାହେବ ଥିଲେ ଖତ ଗଦାରେ ପଦ୍ମଫୁଲ।" ଅକିଞ୍ଚନର ଜୀବନ ସ୍ମୃତି" ଆତ୍ମ କାହାଣୀ୍ରେ ତାଙ୍କ ଜୀବନ ଚରିତ ବର୍ଣିତ। ଆବାଲ୍ୟରୁ ସେ ବୁଦ୍ଧିମାନ ଓ ଧିଶକ୍ତି ସମ୍ପନ୍ନ ଓ ବୃତ୍ତିଧାରୀ ଛାତ୍ର ଥିଲେ। ବିଲାତରୁ ଫେରି ସେ ରେଭେନ୍ସାରେ ବଟନି ଅଧ୍ୟାପକ,ମୁଖ୍ୟ ଅଧ୍ୟାପକ ଓ ଅଧ୍ୟକ୍ଷ ପଦ ହାସଲ କରିପାରିଥିଲେ।ଉତ୍କଳ ବିଶ୍ୱବିଦ୍ୟାଳୟର ସେ ଥିଲେ ପ୍ରଥମ କୁଳପତି ଓ କୃଷି ବିଭାଗର ନିର୍ଦ୍ଦେଶକ ଥିଲେ।
ଅଧ୍ୟାପକ ଅଶୋକ କୁମାର ବାରିକ କହିଲେ ଯେ ପରିଜା ସାହେବ ଥିଲେ ଆଜୀବନ କର୍ମଯୋଗୀ। ୧୯୫୨ରେ ପ୍ରଥମ ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୧୯୫୫ରେ ଭାରତ ସରକାର ତାଙ୍କୁ'ପଦ୍ମ ବିଭୂଷଣ'ଉପାଧି ପ୍ରଦାନ କରିଥିଲେ। ତାଙ୍କ ଭଳି ଦୃଢମନା ଓ ସମୟାନୁବତ୍ତୀ ବ୍ୟକ୍ତିତ୍ବ ଆଜିର ସମାଜରେ ବିରଳ। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ କବୀର କୁମାର ଜେନା, ଇ ଅବିନାଶ ପରିଡ଼ା, କିଶୋର ଚନ୍ଦ୍ର ସ୍ବାଇଁ, ନରେନ୍ଦ୍ର କୁମାର ସାହୁ, ସୌମ୍ୟ ସାରଥୀ ଦାସ, ଅଶୋକ କୁମାର ଦଳେଇ ଓ ସନ୍ତୋଷ କୁମାର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। କବିତା ପାଠ କରିଥିଲେ ଆଶୁତୋଷ ଦାସ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ। ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ।