ପ୍ରଶଂସା ସାଉଁଟିଲା ଅଭିଳାଷ ଥିଏଟର ର ପ୍ରଥମ ନାଟକ ଅନ୍ଧଗଳି…

ମନୋଜ ମହାନ୍ତି(ଭୁବନେଶ୍ଵର): ଅଭିଳାଷ ଥିଏଟର ଭୁବନେଶ୍ଵର, ତରଫରୁ ତା: ୦୫.୦୬.୨୦୨୪ ରେ ଭଞ୍ଜକଳା ମଣ୍ଡପ ଭୁବନେଶ୍ଵର ଠାରେ ଅନୁଷ୍ଠାନର ପ୍ରଥମ ନାଟକ “ଅନ୍ଧଗଳି’’ ଅନୁଷ୍ଠିତ ହୋଇଯାଇଅଛି । ଏହି ନାଟକର ନାଟ୍ୟକାର ଡ଼ାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ହୃଷିକେଶ ମହାପାତ୍ର। ୨୧ ଜଣ କଳାକାରଙ୍କୁ ନେଇ ବର୍ତମାନ ସମାଜରେ ଘଟୁଥିବା ଘଟଣା ଦୁର୍ଘଟଣାର ପଟ୍ଟଭୂମିରେ ଏହି ନାଟ୍ୟଚିତ୍ରଟି ପର୍ଯ୍ୟବେଶିତ।

ଓୟୁଏଟି ଭୁବନେଶ୍ବରର କୁଳପତି ପ୍ରଫେସର ଶ୍ରୀଯୁକ୍ତ ପ୍ରଭାତ କୁମାର ରାଉତ, ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନାଟ୍ୟ ନିର୍ଦ୍ଧେଶକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଭାବେ ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଓ ସମ୍ମାନିତ ଅତିଥି ନାଟ୍ୟକାର ପଞ୍ଚାନନ ଦାସ, ନିରଞ୍ଜନ ଦାଶ, ଭାସ୍କର ଚନ୍ଦ୍ର ଜେନା ଯୋଗ ଥିଲେ। ମଞ୍ଚ ପରିଚାଳନା କରିଥିଲେ, ମଧୁମିତା ମହାନ୍ତି।

ଅଭିଜ୍ଞ ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳ, ଅନନ୍ୟା ମହାପାତ୍ର, ସିପ୍ରା ଶତପଥୀ, ବିରଂଚି କୁମାର ଦାଶ, କରୁଣାକର ସାମଲ, ରଘୁନାଥ ବେହେରା, ଦେବୀ ପ୍ରସାଦ ଦାସ, ଲମୋଦର ଦିଗଲ, ପୂର୍ଣଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର କୁମାର ସାହୁ, ଶୁଭଙ୍କର ସିଂ, ବିରେନ୍ଦ୍ର ନାରାୟଣ ପତି, ଦିଲ୍ଲୀପ ବେଉରା, ଚନ୍ଦନ କୁମାର ଦେବତା, ଋତୁରାଜ ଦାସ, ବନ୍ଧୁ, ଜ୍ୟୋତି ରଞ୍ଜନ ରାୟ ପ୍ରଭୃତି କଳାକାର ମାନଙ୍କର ସଫଳ ଅଭିନୟରେ ନାଟକଟି ଦର୍ଶକ ମାନଙ୍କ ମନକୁ ବେଶ୍ ଛୁଇଁ ପାରିଥିଲା । ସାମାଜିକ ସଂସ୍କୃତିର ଅବକ୍ଷୟ ଓ ଅଧୋପତନ ଦିନକୁ ଦିନ ଘଟି ଚାଲିଛି । ଏମିତି ଏକ ସଂଦିକ୍ଷଣ ମୁହୂର୍ତରେ ସମସ୍ତଙ୍କୁ ସତର୍କତାର ସହିତ ଆଗକୁ ଚାଲିବାକୁ ହେବ । ଖସଡ଼ା ବାଟରେ କେତେବେଳେ ଯେ ଗୋଡ ଖସିଯାଇ ପାପର ଅତଳ ଗର୍ଭରେ ନିକ୍ଷେପିତ ହୋଇ ପଡ଼ିବ, ସେକଥା ମଣିଷକୁ ଜଣା ନଥାଏ ।

ଦୈନନ୍ଦିନ ଜୀବନ ଯାପନ କରିବା ସମୟରେ ଅନେକ ଉତ୍‌ଥାନ ପତନ ଦେଇ ଗତି କରିବା ଭିତରେ ମଣିଷ ବେଳେବେଳେ ବାଟହୁଡ଼ି ଅଜଣା ଅଫେରା ରାଇଜକୁ ଚାଲିଯାଏ, ସେ କଥା ସେ ନିଜେ ମଧ୍ୟ ଜାଣି ନଥାଏ। ଆଉ ସେ ଜାଗାରୁ ଫେରି ସାଧାରଣ ଜୀବନ ସ୍ରୋତରେ ସେ ନିଜକୁ ସାମିଲ କରିବାର ଦୁଃସାହସ କରିପାରେନା । ସେଇ ଅଫେରା ରାଇଜରେ ସେ ରହିଯାଏ ଚିରଦିନ ପାଇଁ । ହେଲେ ଭୁଲିପାରେନା ତା’ର ସୁନେଲି ଅତୀତ, ବିଳାପ କରିବସେ। ହେଲେ ପାପର ମାୟା ଜାଲରେ ସେ ଏମିତି ଛନ୍ଦି ହୋଇଥାଏ ଯେ ବୁଢ଼ିଆଣୀର ଅଡୁଆ ସୂତା ଭିତରେ, ସେଥୁରୁ ନିଜକୁ ମୁକୁଳେଇ ବାହାରି ଆସିବା ତା’ ପକ୍ଷରେ ଆଉ ସମ୍ଭବ ହୁଏ ନାହିଁ । ରଂଗୀନ ଦୁନିଆଁର ଚାକଚକ୍ୟରେ ସେ ହଜିଯାଏ ସତ, ହେଲେ ତା’ର ସୁନେଲି ଅତୀତ ଯେ ତାକୁ ହାତ ଠାରି ସବୁବେଳେ ଡାକୁଛି, ଏ କଥାକୁ ସେ ମନରୁ ଲିଭାଇ ପାରେନା ।

ବାପା ବ୍ରଜବନ୍ଧୁ ଝିଅର ଏଭଳି କାର୍ଯ୍ୟରେ ବ୍ୟତିବ୍ୟସ୍ତ ହୋଇ ସାମାଜିକ ଜୀବନ ସ୍ରୋତରୁ ବାହାରି ଯାଇ ସନ୍ୟାସ ଜୀବନ ଆପଣେଇ ନିଅନ୍ତି। ଭାଇ ଦୀପକ ମଧ୍ୟ ବଡ଼ ପୋଲିସ ଅଫିସର ହୋଇ ଭଉଣୀ ଜିନାକୁ କିପରି ଅନ୍ଧ ଗଳିରୁ ସବୁଦିନ ପାଇଁ ମୁକ୍ତି ଦିଏ ତାହା ଏ ନାଟକରେ ବିଶେଷ ଭାବରେ ବର୍ଣ୍ଣିତ ହୋଇଛି ।

ସେୟାର କରନ୍ତୁ

Next Post

ରେପୋ ରେଟ୍ ଅପରିବର୍ତ୍ତିତ...

Fri Jun 7 , 2024
ବାସ୍ତବ ବ୍ୟୁରୋ: ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (MPC)ର ନିଷ୍ପତ୍ତି କ୍ରମେ ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI)।RBI ଆଜି ଏହାର ମୁଦ୍ରା ନୀତି(RBI କ୍ରେଡିଟ୍ ପଲିସି) ଘୋଷଣା କରିଛି। ଏହି ନିଷ୍ପତି ଫଳରେ ଲୋକଙ୍କୁ ଶସ୍ତା ଋଣ ଏବଂ କମ୍ ଇଏମଆଇ ପାଇଁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ […]

You May Like

Pin It on Pinterest