
ବାସ୍ତବ ବ୍ୟୁରୋ-ପରଲୋକରେ ବଲିଉଡ୍ ର ଭେଟେରାନ୍ ଅଭିନେତା ଋଷି କପୁର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ୩ ଅକ୍ଟୋବର ୨୦୧୮ରେ ଋଷିଙ୍କୁ କ୍ୟାନ୍ସର ହୋଇଥିବା ଖବର ଆସିଥିଲା । ଏହା ପରେ ସେ ଏକ ବର୍ଷ କାଳ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ କାଲି ଶ୍ୱାସ ଜନିତ ଅସୁବିଧା ପାଇଁ ସେ ପୁଣି ମୁମ୍ବାଇର ସାର୍ ଏଚ୍ ଏନ୍ ରିଲାଏନ୍ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ୮ଟା ୪୫ ମିନିଟରେ ଋଷି ଶେଷ ନିଶ୍ୱାସ ତ୍ୟାଗ କଲେ ।
ଏ ସମ୍ପର୍କରେ ଟୁଇଟ୍ କରି ଅମିତାଭ ବଚ୍ଚନ ଲେଖିଛନ୍ତି, ସେ ଚାଲିଯାଇଛନ୍ତି..! ଋଷି କପୁର… ଚାଲିଯାଇଛନ୍ତି… ଏହିକ୍ଷଣି ସେ ଶେଷ ନିଃଶ୍ବାସ ତ୍ୟାଗ କଲେ। ମୁଁ ଅବସନ୍ନ ହୋଇଗଲି!
ବଲିଉଡ୍ ଜଗତ ପାଇଁ ବିଗତ ୨୨ ଘଣ୍ଟା ବହୁତ ଦୁଃଖଦାୟକ ପ୍ରମାଣିତ ହୋଇଛି । ଦୁଇ ମହାନେତା ଇରଫାନ୍ ଖାନ୍ ଓ ଋଷି କାପୁରଙ୍କୁ ଦେଶ ହରାଇସାରିଛି । ଇରଫାନଙ୍କ ମୃତ୍ୟୁ ଗତକାଲି ହୋଇଥିବା ବେଳେ ଋଷି କାପୁରଙ୍କ ଆଜି ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । ଦୁହିଁଙ୍କୁ କ୍ୟାନ୍ସର ହୋଇଥିବା ବେଳେ ସେମାନେ ବହୁ ସମୟ ଧରି ଏଥରେ ସଂଘର୍ଷ କରୁଥିଲେ । କାଲି ଇରଫାନ୍ ହାରିଥିଲେ ତ ଆଜି ଋଷି ହାରିଗଲେ ।