ବାସ୍ତବ ବ୍ୟୁରୋ (ମହାବଲୀପୁରମ୍): ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେବାକୁ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ ଏକ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଅପରାହ୍ଣ ୨ଟା୧୦ ମିନିଟରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା।
ଆଜି ଅପରାହ୍ଣ ୫ଟାରେ ଭାରତର ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ ସହର ମହାବଲୀପୁରମ୍ ଠାରେ ପହଞ୍ଚିଥିଲେ । ମହାବଲୀପୁରମ୍ ଠାରେ ପହଞ୍ଚିବା ପରେ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଏକ ‘ଗାଇଡେଡ୍ ଟୁର’ରେ ଯାଇ ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ ସହର ମହାବଲୀପୁରମ୍ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଥିଲେ ।

ଏବେ ସମଗ୍ର ବିଶ୍ୱର ନଜର ମହାବଲୀପୁରମ୍ ଉପରେ କେନ୍ଦ୍ରୀଭୂତ ହୋଇ ରହିଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ଆଲୋଚନାର ନିଷ୍କର୍ଷ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ସମଗ୍ର ବିଶ୍ୱ।
ସୂଚନା ଅନୁଯାୟୀ ଆସନ୍ତାକାଲି (ଶନିବାର) ସକାଳ ୯ଟା ୫୦ରେ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଆସି ପହଞ୍ଚିବେ ତାଜ୍ ଫିସରମ୍ୟାନ୍ସ କୋଭ ରିସର୍ଟ ଆଣ୍ସ୍ପାରେ। ସେଠାରେ ୧୦ଟାରେ ଆୟୋଜିତ ହେବାକୁ ଥିବା ଏକ ଚା’ ଆସରରେ ଯୋଗଦେବା ପରେ ୧୦ଟା ୫୦ରୁ ଉଭୟ ନେତାଙ୍କ ଉପସ୍ଥିତିରେ ପ୍ରତିନିଧି ସ୍ତରୀୟ ଆଲୋଚନା ଆରମ୍ଭ ହେବ। ପ୍ରତିନିଧି ସ୍ତରୀୟ ଆଲୋଚନା ପରେ ୧୧ଟା ୪୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ଦିଆଯିବାକୁ ଥିବା ମଧ୍ୟାହ୍ନ ଭୋଜନରେ ଯୋଗଦେବେ ରାଷ୍ଟ୍ରପତି ଜିନ୍ପିଙ୍ଗ୍। ମଧ୍ୟାହ୍ନ ୧୨ଟା୪୫ରେ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ମହାବଲୀପୁରମ୍ ଛାଡ଼ି ଚେନ୍ନାଇ ଅଭିମୁଖେ ବାହାରିବେ। ଅପରାହ୍ଣ ୧ଟା ୩୦ରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଚୀନ୍ ଅଭିମୁଖେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି।
