
ମନୋଜ ମହାନ୍ତି:ଆଜି(ମଙ୍ଗଳବାର) ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଏନ୍ଡିଏ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଛନ୍ତି।
ଆଜି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପିର ସଂସଦୀୟ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସଂସଦୀୟ ବୋର୍ଡର ଅନ୍ୟ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲେ।
ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜର ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।
“ଦେଶ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସର୍ବପ୍ରଥମେ ଏନ୍ଡିଏକୁ ଧନ୍ୟବାଦ ଜଣାଉଛି। ଏଥି ପାଇଁ ମୁଁ ସମସ୍ତଙ୍କର ସହଯୋଗ କାମନା କରୁଛି। ଆମ ରାଜ୍ୟରେ ଯେହେତୁ ମୋର ଅଧିକାର ଅଛି, ତେଣୁ ଆମ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କୁ ମଧ୍ୟ ମୋତେ ସମର୍ଥନ ଜଣାଇବା ପାଇଁ ନିବେଦନ କରିବି। “
ଶ୍ରୀମତୀ ମୁର୍ମୁ ଆହୁରି କହିଛନ୍ତି ଯେ, ମୋତେ ଯାହା ଦାୟିତ୍ବ ଦିଆଯିବ, ତାହାକୁ ସାମ୍ବିଧାନିକ ନିୟମ ଅନୁସାରେ ଆନ୍ତରିକତାର ସହିତ ପାଳନ କରିବି।”
ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, “ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଇଲି ଯେ, ମୋତେ ଏନ୍ଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଥବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋ ସହିତ କେହି କଥା ହୋଇ ନଥିଲେ। ମୁଁ ଭାବୁଛି ‘ଏନ୍ଡିଏ’ର ଶ୍ଲୋଗାନ୍ ସବ୍ କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ ଆଧାରରେ ପ୍ରାର୍ଥୀ ଚୟନ ହୋଇଛି। ଦଳିତ ତଥା ଆଦିବାସୀମାନଙ୍କୁ ପ୍ରେରଣା ଦେବା, ତାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଏଭଳି ନାମ ଘୋଷଣା ହୋଇଥାଇ ପାରେ ।”
ଓଡିଶାର ମୟୂରଭଞ୍ଜର ବୈଦପୋଷୀ ଗାଁରେ ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ । ଏହାସହ ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ । ଓଡିଶାର ବିଜେପି-ବିଜେଡି ସରକାର ମେଣ୍ଟ ସରକାରରେ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାସହ ପରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ୨୦୦୦ରୁ ୨୦୦୯ ଯାଏଁ ମୟୂରଭଞ୍ଜର ରାଇରଙ୍ଗପୁରରୁ ବିଜେପି ଟିକେଟରେ ଜିତି ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ।ସୂଚନା ଅନୁସାରେ ବିଜେଡି ମଧ୍ୟ ଦ୍ରୋପଦୀ ମୁର୍ମୀଙ୍କ ନାଁରେ ସହମତି ପ୍ରକାଶ କରିଛି।
ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ । ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଯଦି ଏକରୁ ଅଧିକ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରନ୍ତି ତେବେ ଜୁଲାଇ ୧୮ରେ ମତଦାନ ହେବ ଏବଂ ଜୁଲାଇ ୨୧ରେ ମତଗଣନା ହେବ।