ବାସ୍ତବ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଁହ ରେ ପୁଣି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଶଂସା । ଏଥିସହ ସେ ପାକିସ୍ତାନ ମୁସଲିମ ଲିଗ୍ ନେତା ନୱାଜ ଶରିଫଙ୍କୁ ଦୁର୍ନୀତି ପାଇଁ ସମାଲୋଚନା କରିଛନ୍ତି।
ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଇମ୍ରାନ ଖାନ କହିଛନ୍ତି, “ଯଦି ଗୋଟିଏ ଦେଶରେ ସ୍ୱତନ୍ତ୍ର ଆଇନ ନାହିଁ, ତା’ହେଲେ ପୁଞ୍ଜିନିବେଶ ପାଇଁ କୌଣସି ସୁଯୋଗ ମିଳିବ ନାହିଁ। ଆଇନ ବ୍ୟବସ୍ଥା ନଥିଲେ ମନଇଚ୍ଛା ଦୁର୍ନୀତି ହୋଇଥାଏ। ବିଦେଶ ମାଟିରେ କୋଟିକୋଟି ଟଙ୍କା ଠୁଳ କରିଥିବା ବିଶ୍ୱର ଜଣେ ହେଲେ ବି ନେତାଙ୍କ ନାଁ ଆପଣମାନେ କୁହନ୍ତୁ? ଆମ ପଡ଼ୋଶୀ ଦେଶ କଥା ବିଚାରକୁ ନିଅନ୍ତୁ। ଭାରତ ବାହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କେତେ ସମ୍ପତ୍ତି ରହିଛି? ନୱାଜ କେତେ ସମ୍ପତ୍ତି ବିଦେଶରେ ରଖିଛନ୍ତି, ସେକଥା ଆପଣମାନେ କେହି ବି ଜାଣି ନାହାନ୍ତି। ଆଖି ଲାଖିଗଲା ଭଳି ସମ୍ପତ୍ତି ସେ ବିଶ୍ୱର ବିଭିନ୍ନ ଦେଶରେ ଗଚ୍ଛିତ କରିଛନ୍ତି।”
ପୂର୍ବରୁ ମଧ୍ୟ ଇମ୍ରାନ ଖାନ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ଆମେରିକାର ଚାପକୁ ବେଖାତିର କରି ଭାରତ ରିହାତି ଦରରରେ ରୁଷ ଠାରୁ ତେଲ କିଣି ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ଗୋଟିଏ ସ୍ୱାଧୀନ ବିଦେଶ ନୀତି ଅନୁଯାୟୀ ଆମ ଦେଶ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବା ଦରକାର ।”