
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି । ମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଭାରତର ପୂର୍ବତନ ପ୍ରଧାନବିଚାରପତି ୟୁ. ୟୁ. ଲଳିତ ଏବଂ ସୁପ୍ରିମ୍ କୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ।
ଶପଥ ଗ୍ରହଣ ସମାରୋହ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି,’ସାଧାରଣ ନାଗରିକଙ୍କ ସେବା କରିବା ମୋର ପ୍ରାଥମିକତା’। ରେଜିଷ୍ଟ୍ରୀ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସୁଧାର ନେଇ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ‘ମୋର ଶବ୍ଦଠାରୁ ଅଧିକ ମୋ କାମ କଥା କହିବ’।
ଭାରତର ପ୍ରଧାନ ବିଚାରପତି ପଦ ସମ୍ଭାଳିବା ପରେ ସେ ସୁପ୍ରିମକୋର୍ଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ସମୟରେ ସେ କହିଥିଲେ, ‘ରାଷ୍ଟ୍ରର ସେବା କରିବା ମୋର ପ୍ରାଥମିକତା । ଆମେ ଭାରତର ସବୁ ନାଗରିକଙ୍କ ରକ୍ଷା କରିବୁ, ତାହା ଟେକ୍ନୋଲଜି ହେଉ ଅବା ରେଜିଷ୍ଟ୍ରୀ ସୁଧାର କିମ୍ୱା ନ୍ୟାୟିକ ସୁଧାର ସହ ଜଡିତ ମାମଲା’।
ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ ୨୦୨୪ ନଭେମ୍ୱର ୧୦ ଯାଏଁ ଦୁଇ ବର୍ଷ ଧରି ସିଜେଆଇ ଭାବେ କାର୍ଯ୍ୟ କରିବେ ।