
ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାଙ୍କ ଉପରେ ନିଜର ବିବାଦୀୟ ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିବା ସହ କ୍ଷମା ମାଗିଛନ୍ତି ବାବା ରାମଦେବ । ସେ କହିଛନ୍ତି, ମହିଳାଙ୍କ ଉପରେ ସେ କରିଥିବା ଟିପ୍ପଣୀକୁ ଭୁଲ୍ ଭାବେ ଉପସ୍ଥାପନ କରାଗଲା। ଗତ ସପ୍ତାହରେ ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବା ରାମଦେବ କହିଥିଲେ ଯେ, ମହିଳାମାନେ ଶାଢୀରେ ସୁନ୍ଦର ଲାଗନ୍ତି, ସେମାନେ ସଲଓ୍ଵାର ସୁଟ୍ରେ ବି ସୁନ୍ଦର ଦିଶନ୍ତି ଏବଂ ସେମାନେ କିଛି ନ ପିନ୍ଧିଥିଲେ ବି ଆହୁରି ସୁନ୍ଦର ଦେଖା ଯାଆନ୍ତି।
ବାବା ରାମଦେବ କହିଛନ୍ତି, “ମୁଁ ‘ବେଟି ବଚାଓ, ବେଟି ପଢାଓ’ ପରି ସରକାରଙ୍କ ବିଭିନ୍ନ ନୀତିର ସମର୍ଥନ କରି ଆସିଛି। ଏହାର ପ୍ରୋତ୍ସାହନ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଅନେକ ସଂଗଠନ ସହ ମିଶି କାମ କରିଛି। ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, ମୁଁ କୌଣସି ମହିଳାଙ୍କ ଅପମାନ କରି ନାହିଁ ଏବଂ ନା ଏମିତି କରିବା ମୋର କୌଣସି ଉଦ୍ଦେଶ୍ୟ ଥିଲା।”
ସୂଚନାନୁଯାୟୀ, ରାମଦେବଙ୍କ ଏମିତି ଅଶାଳୀନ ଟିପ୍ପଣୀରେ ନୂତନ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ(ଏମଏସସିଡବ୍ଲ୍ୟୁ)ର ଅଧ୍ୟକ୍ଷା ରୂପାଲୀ ଚାକଣକରଙ୍କୁ ସମୟ ସୀମା ଭିତରେ ଜବାବ ଦେଇ ବାବା ରାମଦେବ ଯୁକ୍ତି ବାଢି କହିଛନ୍ତି, “ସେ ରାଜ୍ୟ ପ୍ୟାନେଲରେ କୌଣସି ନିୟମର ଉଲ୍ଲଂଘନ କରି ନାହାନ୍ତି। ସେ ସର୍ବଦା ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ସମ୍ମାନ ଦେଇ ଆସିଛନ୍ତି। ମହିଳାଙ୍କ ସମାନତା ଅଧିକାର ପାଇଁ ସେ ବିଶ୍ଵ ସ୍ତରରେ ଅଭିଯାନ ଚଲାଇଛନ୍ତି। “



