ବାସ୍ତବ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ତେବେ ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି, ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ ।
ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଯାହାର ନାମ “କ୍ଲାଇମେଟ୍ ଇନଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍ ଇନ ଇଣ୍ଡିଆସ କୁଲିଂ ସେକ୍ଟର”ରେ କୁହାଯାଇଛି, ବିଗତ ଏକ ଦଶନ୍ଧି ମଧ୍ୟରେ ହିଟ୍ ୱେଭ୍ ବିଶ୍ୱବ୍ୟାପୀ ବୃଦ୍ଧି ପାଇଛି ଏବଂ ହଜାର ହଜାର ଲୋକଙ୍କ ଜୀବନ ନେଇ ଚାଲିଛି ।ଭାରତରେ ଏବେ ଶୀଘ୍ର ଗ୍ରୀଷ୍ମପ୍ରବାହ ଆସୁଛି ଓ ଦୀର୍ଘ ଦିନ ଧରି ରହୁଛି । ଆଗକୁ ଏପରି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ଯାହା ମଣିଷ ପାଇଁ କଷ୍ଟକର ହୋଇଯିବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୨୦ ମସିହାରେ ଜି -୨୦ ଜଳବାୟୁ ବିପଦ ଆଟଲାସ ମଧ୍ୟ ଚେତାବନୀ ଦେଇଥିଲା ଯେ ୨୦୩୬-୬୫ ସୁଦ୍ଧା ଭାରତରେ ହିଟ୍ ୱେଭ୍ ୨୫ ଗୁଣ ଅଧିକ ବଢିପାରେ।
ବିଶ୍ବବ୍ୟାଙ୍କ ଓ କେରଳ ସରକାରଙ୍କ ସହଯୋଗିତାରେ ଆରମ୍ଭ ହୋଇଥିବା ଇଣ୍ଡିଆ କ୍ଲାଇମେଟ୍ ଏଣ୍ଡ ଡେଭଲପମେଣ୍ଟ ମିଟ୍ ଅବସରରେ ଏହି ରିପୋର୍ଟକୁ ଉନ୍ମୋଚନ କରାଯିବ ।
ମାର୍ଚ୍ଚ ୨୦୨୨ରେ ତାପମାତ୍ରା ହଠାତ ବଢିଯାଇଥିଲା ଓ ଏହାକୁ ସବୁଠାରୁ ଗରମ ମାର୍ଚ୍ଚମାସ ବୋଲି କୁହାଯାଉଛି । ଏପ୍ରିଲ ମାସରେ ତାପମାତ୍ରା ରେକର୍ଡ ଉଚ୍ଚତାକୁ ଛୁଇଁଥିଲା । ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀକୁ ପଳାଇଯାଇଥିଲା । ଆଗକୁ ଭାରତରେ ଏପରି ଗରମ ହେବ ଯେ ତାହା ମଣିଷର ସହନ କ୍ଷମତା ବାହାରକୁ ଚାଲିଯିବ । ଏପରି ସ୍ଥିତି ସଂପର୍କରେ ଜଳବାୟୁ ବିଜ୍ଞାନୀମାନେ ଆଗରୁ ଚେତାଇ ଦେଇଥିଲେ । ଅଧିକା ତାପମାତ୍ରା ଭାରତର ଆର୍ଥିକ ଉତ୍ପାଦକତାକୁ ପ୍ରଭାବିତ କରିବ ।



