ବାସ୍ତବ ବ୍ୟୁରୋ : ଉତ୍ସବର ରୁତୁ ସରିବା ପରେ ମଧ୍ୟ ଦେଶରେ ଯାନବାହନ ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନଭେମ୍ବର ମାସରେ, ପ୍ରତି ସେକେଣ୍ଡରେ ଗୋଟିଏ ଗାଡି ବିକ୍ରି ହୋଇଥିଲା ଏବଂ ମୋଟ ବିକ୍ରି ୨୩.୮୦ ଲକ୍ଷର ଏକ ଐତିହାସିକ ଉଚ୍ଚରେ ପହଞ୍ଚିଥିଲା । ଗତ ବର୍ଷ ନଭେମ୍ବର ତୁଳନାରେ ଏହା ୨୬% ଅଧିକ । ଦୁଇ ଚକିଆ ବିକ୍ରି ୨୩.୬୧% ଏବଂ ଗତ ମାସରେ କାର ବିକ୍ରି ୨୧.୩୧% ବୃଦ୍ଧି ପାଇଛି ।
ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (FADA) ର ତଥ୍ୟ ଅନୁଯାୟୀ, ନଭେମ୍ବରରେ ସମୁଦାୟ ୨୩,୮୦,୪୬୫ ଗାଡି ବିକ୍ରି ହୋଇଥିଲା । ଅକ୍ଟୋବର ତୁଳନାରେ ଯାନ ବିକ୍ରି ମଧ୍ୟ ୧୩.୬୫% ବୃଦ୍ଧି ପାଇଛି । FADA ଅଧିକାରୀଙ୍କ କହିବାନୁସାରେ, ମାର୍ଚ୍ଚ ୨0୨0 ବ୍ୟତୀତ ଚଳିତ ନଭେମ୍ବର ମାସରେ ଖୁଚୁରା ବିକ୍ରି ଭାରତୀୟ ଅଟୋମୋବାଇଲ ଶିଳ୍ପ ଇତିହାସରେ ସର୍ବଶ୍ରେଷ୍ଠ ଥିଲା ।
ଶୁକ୍ରବାର ଦିନ ପ୍ରକାଶ ପାଇଥିବା FADA ତଥ୍ୟ ଅନୁଯାୟୀ, ନଭେମ୍ବର ମାସର ୩୦ ଦିନରେ ନବରାତ୍ରୀ ଠାରୁ ଦିୱାଲୀ ପର୍ଯ୍ୟନ୍ତ ୪୨ ଦିନର ଉତ୍ସବର ରୁତୁ ଅପେକ୍ଷା ଅଧିକ ଯାନ ବିକ୍ରି ହୋଇଥିଲା । ପର୍ବ ସମୟରେ ସମୁଦାୟ ୨୮,୮୮,୧୩୧ ଯାନ ଯଥା ପ୍ରତିଦିନ ୬୮,୭୬୫ ଯାନ ବିକ୍ରି ହେଉଥିଲା । ତୁଳନାତ୍ମକ ଭାବେ, ନଭେମ୍ବରରେ ପ୍ରତିଦିନ ୭୯,୩୪୯ ଗାଡି ବିକ୍ରି ହେଉଥିଲା ।
ଫାଦା ସଭାପତି ମନୀଷ ରାଜ ସିଙ୍ଗାନିଆ କହିଛନ୍ତି ଯେ ଉତ୍ସବର ଏକ ମାସ ପରେ ସାଧାରଣତ ଗାଡି ବିକ୍ରି ଟିକେ ହ୍ରାସ ପାଇଥାଏ, କିନ୍ତୁ ଚଳିତ ବର୍ଷ ତାହା ହୋଇନାହିଁ ।ଏହା ବ୍ୟତୀତ ଗ୍ରାମାଞ୍ଚଳରେ ଯାନବାହାନର ଚାହିଦା ଭଲ ଅମଳ ଆଶାରେ ବୃଦ୍ଧି ପାଇଛି। ଏଥି ସହିତ ଅର୍ଥନୀତିର ଉନ୍ନତି ପରେ ଲୋକଙ୍କ ପାଖରେ ଅତିରିକ୍ତ ଖର୍ଚ୍ଚ ପାଇଁ ଟଙ୍କା ଅଛି । ଏହି କାରଣ ରୁ ଦୁଇ ଚକିଆ ଯାନରୁ ଆରମ୍ଭ କରି ସମସ୍ତ ପ୍ରକାରର ଯାନ ବିକ୍ରି ବୃଦ୍ଧି ପାଇଛି ।