ବାସ୍ତବ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି। ଏହି ସଂଘର୍ଷ ଗତ ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ୟାଙ୍ଗଷ୍ଟେ ଏରିଆରେ ଏହି ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ କେତେକ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡ଼ିଛି।

ଭାରତୀୟ ସୈନ୍ୟଙ୍କ ପ୍ରତିଜବାରେ କିଛି ଚାଇନା ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି। ଏହି ସଂଘର୍ଷରେ ବନ୍ଧୁକର ବ୍ୟବହାର ହୋଇ ନଥିଲା । ଉଭୟ ପକ୍ଷର ସୈନ୍ୟ ହାତାହାତି ଓ ଅନ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଚାଇନା ପକ୍ଷରୁ ପ୍ରାୟ ୬ ଶହରୁ ଅଧିକ ସୈନ୍ୟ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରିବାବେଳେ ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ଜୋରଦାର ପ୍ରତିରୋଧ କରାଯାଇଥିଲା। ସଂଘର୍ଷ ପରେ ଉଭୟ ପକ୍ଷ ମଧ୍ୟରେ ଫ୍ଲାଗ୍ ମିଟିଂ ହୋଇଥିଲା ଓ ଚୀନ ସୈନ୍ୟମାନେ ଫେରିଯାଇଥିଲେ ବୋଲି ଜଣାପଡ଼ିଛି ।