
ବାସ୍ତବ ବ୍ୟୁରୋ : ଦୃଷ୍ଟିହୀନଙ୍କ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି କ୍ରମାଗତ ତୃତୀୟ ଟାଇଟଲ ହାସଲ କରିଛି । ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା । ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ ଅଜୟ ୧୦୦ ରନ କରିଥିଲେ । ଏହାର ଜବାବରେ ବାଂଲାଦେଶ ୩ ଓ୍ବିକେଟ ହରାଇ ୧୫୭ ରନ କରିପାରିଥିଲା ।
ଟିମ୍ ଇଣ୍ଡିଆର ଖେଳାଳିମାନେ ବହୁତ ଭଲ ଖେଳ ପ୍ରଦର୍ଶନ କରିଥିଲେ | ଭାରତୀୟ ଦଳ ପାଇଁ ସୁନୀଲ ରମେଶ ଏବଂ ଅଜୟ କୁମାର ରେଡ୍ଡୀ ଦମଦାର ସ୍କୋର କରିଥିଲେ। ତାଙ୍କ କାରଣରୁ ଟିମ୍ ଇଣ୍ଡିଆ ବଡ଼ ସ୍କୋରରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ସୁନୀଲ ରମେଶଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ବିଜୟ ହେଉଛି ଭାରତର ୩ୟ ଟି-୨୦ ବିଶ୍ବକପ୍ ଟାଇଟେଲ୍ । ପୂର୍ବରୁ ୨୦୧୨ ଓ ୨୦୧୭ରେ ହୋଇଥିବା ଦୃଷ୍ଟିହୀନ ଟି-୨୦ ବିଶ୍ବକପରେ ବି ଭାରତ ଚାମ୍ପିଅନ ହୋଇଥିଲା । ଏହି ବିଶ୍ବ ବିଜୟୀ ଟିମରେ ଓଡ଼ିଶାର ଖେଳାଳି ନକୁଳ ବଡ଼ନାୟକ ବି ରହିଛନ୍ତି ।
ଆସନ୍ତା ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ୪ର୍ଥ ଦୃଷ୍ଟିହୀନ ଟି-୨୦ ବିଶ୍ବକପକୁ ପାକିସ୍ତାନ ଆୟୋଜନ କରିବ । ବିଶ୍ବ ଦୃଷ୍ଟିହୀନ କ୍ରିକେଟ ବୋର୍ଡ ଏହି ଦାୟିତ୍ବ ପାକିସ୍ତାନକୁ ଦେଇଛି ।



