
ବାସ୍ତବ ବ୍ୟୁରୋ :କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ। ରୋଗୀ କୌଣସି ଯନ୍ତ୍ରଣା ନପାଇ ସହଜରେ ଏହି ନାଜାଲ ଭାକ୍ସିନକୁ ନେଇ ପାରିବେ। ଏହା ଏବେ କୋ-ୱିନ ଆପରେ ଉପଲବ୍ଧ ରହିଛି।
ଚୀନ୍ରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ନିକଟରେ ଭାରତ ସରକାର ଭାରତ ବାୟୋଟେକ ଦ୍ବାରା ନିର୍ମିତ ନାଜାଲ ଭାକ୍ସିନ ଇନକୋଭାକକୁ ମଞ୍ଜୁରୀ ଦେଇଛନ୍ତି। ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇ ପାରିବେ।ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ। ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ। ଏହାକୁ ସହଜରେ ଲୋକେ ଗ୍ରହଣ କରିପାରିବେ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ତେବେ ଯେଉଁମାନେ କୋଭିନ ଭାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି, ସେମାନେ ୬ମାସ ପରେ ଇନକୋଭାକକୁ ନେଇ ପାରିବେ ।
ଏହାର ମୂଲ୍ୟ ୮୦୦ଟଙ୍କା ସ୍ଥିର କରାଯାଇଛି। ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ସେହିପରି ସରକାରୀ ହସ୍ପିଟାଲରୁ ଲୋକେ ଏହି ଭାକ୍ସିନକୁ ମାତ୍ର ୩୨୫ଟଙ୍କାରେ ସହଜରେ କିଣି ପାରିବେ।
ସୂଚନାନୁଯାୟୀ, ଏହି ନାଜାଲ ଭାକ୍ସିନ ଜାନୁଆରିର ଚତୁର୍ଥ ସପ୍ତାହରୁ ଆରମ୍ଭ ହେବ। ଏହା ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ।