ବାସ୍ତବ ବ୍ୟୁରୋ-ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୯୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପ୍ରାଣ ହରାଇଛନ୍ତି ୩୪; ଓ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୪ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବାବେଳେ, ଏଭଳି ସ୍ଥିତିରେ ସରକାରଙ୍କ ଯୁଦ୍ଧକାଳୀନ ପଦକ୍ଷେପ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି । କରୋନାର ମୁକାବିଲା ପାଇଁ ଏବେ ଦେଶରେ ୬୦୧ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଥିବା ବେଳେ ଏକ ଲକ୍ଷ ୫ ହଜାର ଶର୍ଯ୍ୟା ପ୍ରସ୍ତୁତ ହୋଇ ରହିଛି । ତେବେ, ଆଶ୍ୱାସନାର ବିଷୟ ହେଉଛି ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ଏମାନେ ଦ୍ରୁତ ଆରେଗ୍ୟ ଲାଭ କରୁଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥାତ୍ ୧୬୭୧ଙ୍କର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଗୁରୁତର ରହିଚି ଓ ଏମାନେ ଆଇସିୟୁରେ ରହିବା ସହ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି। ତେବେ, କରୋନା ଭାଇରସ୍ ବା କୋଭିଡ୍-୧୯ ଦ୍ୱାରା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହ ମୁକାବିଲା କରିବା ପାଇଁ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କ ସହ କେନ୍ଦ୍ର ସରକାର ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।
ସେ ଏହା ମଧ୍ୟ କହିଛନ୍ତି ଯେ ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବ୍ୟବହାର ବହୁତ ହେଉଛି । ଏନେଇ ସାଇବର କ୍ରାଇମ ରୋକିବାକୁ ସରକାର ନଜର ରଖିଛନ୍ତି । ଜରୁରୀ ସାମଗ୍ରୀର ପରିବହନରେ କୌଣସି କଟକଣା ନାହିଁ । ଦେଶରେ ଏଯାଏଁ ୧,୮୬,୯୦୬ ନମୁନା ପରୀକ୍ଷା ହୋଇଛି । ପ୍ରତିଦିନ ପରି ୧୫ହଜାରରୁ ଅଧିକ ଟେଷ୍ଟ ହେଉଛି । ଏପର୍ଯ୍ୟନ୍ତ ୪.୩ ପ୍ରତିଶତ ସାମ୍ପୁଲ ପଜିଟିଭ୍ ବାହାରିଛି ବୋଲି ଆଇସିଏମଆର ପକ୍ଷରୁ ରିପୋର୍ଟ ମିଳିଛି ।
