ବାସ୍ତବ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସମେତ ୫ ଟି ରାଜ୍ୟରେ ଆଜି ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅପରାହ୍ଣ ୨.୩୦ରେ ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ଲୋକମାନେ ୩୦ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଦିଲ୍ଲୀ-ଏନସିଆର ବ୍ୟତୀତ ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନର କେତେକ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି।
ଝଟକା ଅନୁଭବ ହେବାରୁ ଲୋକମାନେ ଘର ଓ ଅଫିସ ଛାଡ଼ି ଭୟରେ ଖୋଲା ସ୍ଥାନକୁ ଚାଲି ଆସିଥିଲେ। କ୍ଷୟକ୍ଷତି ସମ୍ପର୍କରେ ଏଯାଏ ଜଣାପଡ଼ିନି। କିନ୍ତୁ ଲୋକମାନେ ଟ୍ୱିଟ ଯୋଗେ ଭୂକମ୍ପ ଝଟକା ଅନୁଭବ କରିଥିବା କଥାକୁ ନିଶ୍ଚିତ କରିଛନ୍ତି। ସେହିପରି କିଛି ଲୋକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।
ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି(ଏନସିଏସ୍) କହିଛି ଯେ ନେପାଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ନେପାଳର କାଲିକା ଠାରୁ ୧୨ କିଲୋମିଟର ଦୂରରେ ଥିବା ବାଜୁରାଠାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ନେପାଳରେ ସୃଷ୍ଟି ହୋଇଥିବା ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଅନୁଭବ ହୋଇଛି। ସ୍ଥାନୀୟ ସମୟ ୨.୨୮ରେ ନେପାଳରେ ଭୂକମ୍ପ ସୃଷ୍ଟି ହୋଇଥିଲା।
ନେପାଳର ଅଧିକାରୀ କହିଛନ୍ତି ଯେ ବାଜୁରା ଜିଲ୍ଲାର ମେଲାରେ ଭୂକମ୍ପ ଯୋଗୁଁ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଚଳିତ ମାସରେ ଦିଲ୍ଲୀ-ଏନସିଆର୍ରେ ତୃତୀୟ ଥର ପାଇଁ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାପୂର୍ବରୁ ହୋଇଥିବା ୨ଟି ଭୂକମ୍ପ ଝଟକା ଲୋକମାନେ ଅନୁଭବ କରିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲା।