
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି ।ବର୍ଦ୍ଧିତ ପେନସନ ବାଛିବାର ଅବଧି ଆଉ ଦୁଇମାସ ବୃଦ୍ଧି କରାଗଲା ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ରାଶି ପାଇବା ପାଇଁ ଇଚ୍ଛୁକ ଇପିଏଫଓ ଗ୍ରାହକମାନେ ଆସନ୍ତା ମାର୍ଚ୍ଚ ୩ ସୁଦ୍ଧା ନିଜ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଆବେଦନ କରିବା ପାଇଁ ଅବଧି ଘୋଷଣା କରାଯାଇଥିଲା । ଏଥିପାଇଁ ସେମାନଙ୍କୁ ଇପିଏଫଓର ସମନ୍ୱିତ ପୋର୍ଟାଲରେ ଆବେଦନ କରିବାକୁ କୁହାଯାଇଥିଲା । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ମାର୍ଚ୍ଚ ୩ ଥିବାବେଳେ ଏହାକୁ ବୃଦ୍ଧି କରାଯାଇଛି ।
ନିକଟରେ ଇପିଏଫ୍ଓର ଇଣ୍ଟିଗ୍ରେଟେଡ୍ ମେମ୍ବର ପୋର୍ଟାଲରେ ସକ୍ରିୟ ହୋଇଥିବା ୟୁଆରଏଲରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଅଧିକ ପେନସନ୍ ବାଛିବାର ଶେଷ ତାରିଖ ହେଉଛି ଚଳିତ ବର୍ଷ ମଇ ମାସ ୩ ତାରିଖ । ଏହା ପୂର୍ବରୁ ସୁପ୍ରିମକୋର୍ଟ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ତାଙ୍କ ଆଦେଶରେ କହିଥିଲେ ଯେ, ଇପିଏଫଓକୁ ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଅଧିକ ପେନସନ ବିକଳ୍ପ ବାଛିବା ପାଇଁ ୪ ମାସ ସମୟ ଦେବାକୁ ହେବ । ୪ ମାସର ଅବଧି ୨୦୨୩ ମାର୍ଚ୍ଚ ୩ ରେ ଶେଷ ହେଉଥିଲା ।
ଏହି କାରଣରୁ ଏହାର ଶେଷ ସମୟ ସୀମା ୨୦୨୩ ମାର୍ଚ୍ଚ ୩ ବୋଲି ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ତାହାକୁ ଆଉ ୨ ମାସ ପାଇଁ ବୃଦ୍ଧି କରାଯାଇଛି । ୨୦୨୨ ନଭେମ୍ବରରେ ସୁପ୍ରିମ୍ କୋର୍ଟ କର୍ମଚାରୀ ପେନସନ୍ ଯୋଜନା (ଇପିଏସ)- ୨୦୧୪କୁ ବଜାୟ ରଖିଥିଲେ । ଏହା ପୂର୍ବରୁ ଇପିଏସରେ ପେନସନ୍ ଯୋଗ୍ୟ ବେତନ ସୀମାକୁ ମାସିକ ୬୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ସହିତ ସଦସ୍ୟ ଏବଂ ସେମାନଙ୍କ ନିଯୁକ୍ତିଦାତାଙ୍କୁ ସେମାନଙ୍କ ପ୍ରକୃତ ଦରମାର ୮.୩୩ ପ୍ରତିଶତ ଇପିଏସ୍କୁ ଦାନ କରିବାକୁ ଅନୁମତି ଦିଆଯାଇଥିଲା । ତେବେ ଏଭଳି ଖବର ପାଇବା ପରେ ଇପିଏଫଓ ଗ୍ରାହକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।