
ବାସ୍ତବ ବ୍ୟୁରୋ : ତ୍ରିପୁରାରେ ୩୨ ଟି ଆସନରେ ବହୁମତ ହାସଲ କରି ବିଜେପି ନିର୍ବାଚନରେ ଜିତିଛି, କିନ୍ତୁ କିଏ ସିଏମ ହେବ ସେନେଇ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଏଥର ରାଜ୍ୟରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଦ୍ୱିତୀୟ ଥର ହେବ ଜଣେ ମହିଳା ରାଜ୍ୟର ନେତୃତ୍ୱ ନେବେ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ଜିତିବା ପରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି। ସେ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେ ହେବେ ତ୍ରିପୁରାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଶନିବାର ଭୌମିକ କହିଥିଲେ ଯେ ପରିଚୟ-ସଂକଟରେ ପୀଡ଼ିତ ଉତ୍ତରପୂର୍ବ ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଚୟ ପ୍ରଦାନ କରିଛନ୍ତି।
ମାର୍ଚ୍ଚ ୨ ତାରିଖରେ ପ୍ରକାଶିତ ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୬୦ ଆସନରୁ ୩୨ଟି ଆସନରେ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଟିପ୍ରା ମୋଥା ପାର୍ଟି ୧୩ଟି ଆସନ ଜିତି ଦ୍ବିତୀୟ ସ୍ଥାନରେ ରହିଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ୧୧ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୩ଟି ଆସନ ହାତେଇଛି। ଇଣ୍ଡିଜିନସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫ୍ଟି) ମାତ୍ର ଗୋଟିଏ ଆସନ ଜିତିଛି। ତେଣୁ ତ୍ରିପୁରାରେ ଦ୍ବିତୀୟ ଥର ପାଇଁ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରତିମା ଭୌମିକ ଆଗରେ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ତ୍ରିପୁରାର ଦିଦି ବା ପ୍ରତିମାଦି ଭାବେ ଜଣାଶୁଣା ପ୍ରତିମା ଭୌମିକ ଧନପୁର ଆସନରୁ ୧୯,୧୪୮ (୪୨.୨୫%) ଭୋଟ ପାଇ ଜିତିଛନ୍ତି। ପ୍ରତିମା ପ୍ରଥମେ ୧୯୯୮ ଓ ପରେ ୨୦୧୮ରେ ଧନପୁର ଆସନରୁ ନିର୍ବାଚନ ଲଢ଼ି ଦୁଇଥର ଯାକ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କଠାରୁ ହାରି ଯାଇଥିଲେ। ତେବେ ଏଥର ସେ ସେହି ଏକା ଆସନରେ ସିପିଆଇ(ଏମ୍)ର କୌଶିକ ଚନ୍ଦାଙ୍କୁ ୩,୫୦୦ ଭୋଟରେ ହରାଇବାରେ ସକ୍ଷମ ହୋଇଛନ୍ତି।
୨୦୧୯ରେ ବିଜେପି ଟିକେଟରେ ଜିତି ପାର୍ଲାମେଣ୍ଟକୁ ଯାଇଥିବା ପ୍ରତିମାଙ୍କୁ ୨୦୨୧ ଜୁଲାଇରେ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। କ୍ଷୁଦ୍ର ଉତ୍ତରପୂର୍ବ ରାଜ୍ୟର ପ୍ରଥମ ସ୍ଥାୟୀ ବାସିନ୍ଦା ଭାବେ ସେ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ।
ରାଜ୍ୟ ବିଜେପି ମୁଖ୍ୟ ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ଭାବୀ ମୁଖ୍ୟମନ୍ତ୍ରୀ ନେଇ ପ୍ରଶ୍ନ କରାଯିବାରୁ ସେ କହିଲେ ଯେ ବିଧାୟକ ଦଳ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ। ଦିନେ ଦୁଇଦିନ ଭିତରେ ସବୁ ଜଣାପଡ଼ିଯିବ ବୋଲି ସେ କହିଛନ୍ତି।