ଚଳିତ ଓସ୍କାରରେ ଇତିହାସ ରଚିଲା ଭାରତ: ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ଭାରତୀୟ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌ ଏବଂ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ପାଇଲା ‘ନାଟୁ ନାଟୁ’…

ବାସ୍ତବ ବ୍ୟୁରୋ: ସୋମବାର ସକାଳେ ୯୫ ତମ ଓସ୍କାର ପୁରସ୍କାର ସମାରୋହରୁ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଚଳଚ୍ଚିତ୍ର RRR ର ନାଟୁ ନାଟୁ କୁ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ପୁରସ୍କାର ଲାଭ କରିଥିବା ବେଳେ ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌ ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ବର୍ଗରେ ଜିତିଛି।

କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ଚଳଚ୍ଚିତ୍ରଟି ‘ହାଓଲ୍‌ଆଉଟ୍‌’, ‘ହାଓ ଡୁ ୟୁ ମେଜର୍‌ ଏ ଇୟର୍‌?’, ‘ଦି ମାର୍ଥା ମିସେଲ୍‌ ଇଫେକ୍ଟ୍‌’ ଏବଂ ‘ଷ୍ଟ୍ରେଞ୍ଜର୍‌ ଆଟ୍‌ ଦି ଗେଟ୍‌’ ଚଳଚ୍ଚିତ୍ରଗୁଡ଼ିକ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲା ଏବଂ ଶେଷରେ ପୁରସ୍କାର ଲାଭ କରିଥିଲା। ନିର୍ଦେଶକ ଗନ୍‌ସାଲ୍‌ଭେସ୍‌ ଏହି ‘ଓସ୍କାର୍‌’ ପୁରସ୍କାରକୁ ‘ମାତୃଭୂମି ଭାରତ’କୁ ଉତ୍ସର୍ଗ କରିଛନ୍ତି।

ଟୁଇଟ୍‌ କରି ଗୁନୀତ୍‌ ମୋଙ୍ଗା ଲେଖିଛନ୍ତି: ‘‘ପ୍ରଥମ କରି ଭାରତୀୟ ପ୍ରଯୋଜନା କ୍ଷେତ୍ରରେ ଆମେ ଏଇ ମାତ୍ର ‘ଓସ୍କାର୍‌’ ପାଇଲୁ। ଦୁଇଜଣ ମହିଳାଙ୍କଦ୍ବାରା ଏହା ସମ୍ଭବପର ହୋଇଛି।’’

ଅଚିନ୍‌ ଜୈନ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କଦ୍ବାରା ପ୍ରଯୋଜିତ ଓ କାର୍ତିକି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ନିର୍ଦେଶିତ ୪୧ ମିନିଟ୍‌ର ଏହି କ୍ଷୁଦ୍ର ବୃତ୍ତଚିତ୍ରଟି ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଏକ ପରିବାର ଉପରେ ପର୍ଯ୍ୟବସିତ। ଏହି ପରିବାର ଦୁଇଟି ବାପାମାଆ ଛେଉଣ୍ଡ ହାତୀଛୁଆଙ୍କୁ ପୋଷ୍ୟ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ। ଭାରତର ଏହି ସଂକ୍ଷିପ୍ତ ବୃତ୍ତଚିତ୍ରଟି ଗନ୍‌ସାଲ୍‌ଭେସ୍‌ଙ୍କ ଦ୍ବାରା ପ୍ରଥମ ନିର୍ଦେଶିତ ଚଳଚ୍ଚିତ୍ର।

ସେହିପରି ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଛି।

ଏହି ବର୍ଗରେ ‌ଅନ୍ୟାନ୍ୟ ନୋମିନି ଥିଲେ, ‘ଟେଲ୍‌ ଇଟ୍‌ ଲାଇକ୍‌ ଏ ଉମାନ୍‌’ର ‘ଆପ୍ଲାଉଜ୍‌’, ‘ଟପ୍‌ ଗନ୍: ମାଭେରିକ୍‌’ର ‘ହୋଲ୍‌ଡ୍‌ ମାଇଁ ହ୍ୟାଣ୍ଡ୍‌’, ‘ବ୍ଲାକ୍‌ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’ର ‘ଲିଫ୍ଟ୍‌ ମି ଅପ୍‌’ ଓ ‘ଏଭ୍ରିଥିଙ୍ଗ୍‌ ଏଭ୍ରିହ୍ବେର୍‌ ଅଲ୍‌ ଆଟ୍‌ ୱାନ୍‌ସ୍‌’ର ‘ଦିସ୍‌ ଇଜ୍‌ ଏ ଲାଇଫ୍‌’। ମାତ୍ର ‘ନାଟୁ ନାଟୁ’ ଗୀତ ପ୍ରତିନ୍ଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ପୁରସ୍କାର ହାସଲ କରିଛି।

ମୂଳତଃ ତେଲୁଗୁରେ ନିର୍ମିତ ଛବି ଆରଆରଆର (ରୁଧିରମ୍‌ ରଣମ୍‌ ରୌଦ୍ରମ୍‌) ଫିଲ୍ମର ଏହି ଗୀତର ସ୍ବରସଂଯୋଜକ ଏମ୍‌. ଏମ୍‌. କୀରାୱାଣି ଏବଂ ଗୀତିକାର ଚନ୍ଦ୍ରବୋଷ ମଞ୍ଚ ଉପରକୁ ଯାଇ ପୁରସ୍କାର ଗ୍ରହଣ କରିଛନ୍ତି। ଏମ୍‌. ଏମ୍‌. କୀରାୱାଣି କହିଛନ୍ତି, ଏକାଡେମିକୁ ଧନ୍ୟବାଦ। ମୁଁ ବିଶ୍ବକର୍ମାମାନଙ୍କ ଗୀତ ଶୁଣି ଶୁଣି ବଡ଼ ହୋଇ ଆଜି ‘ଓସ୍କାର୍‌’ ବିଜେତାମାନଙ୍କ ଗହଣରେ ପହଞ୍ଚି ପାରିଛି, ଏହା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଏହା ପରେ ସେ ଗୀତଟି ମଞ୍ଚରେ ଗାଇଥିଲେ।

ନିର୍ଦେଶକ ଏସ୍‌. ଏସ୍‌. ରାଜମୌଲିଙ୍କୁ ଶ୍ରେୟ ଦେଇ ସେ କହିଛନ୍ତି, ‘‘ମୁଁ ୧୦୦୦ରୁ ଅଧିକ ଗୀତ କରିଛି କିନ୍ତୁ, ସେ ସବୁ ‘ଓସ୍କାର୍‌’କୁ ଯାଇ ନ ଥିଲା। କିନ୍ତୁ, ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ର କାରଣରୁ ଏହି ଗୀତ ‘ଓସ୍କାର୍‌’କୁ ଯାଇପାରିଲା। ତା’ ନ ହୋଇ ଥିଲେ ସେଠାକୁ ଯିବା ଥିଲା କଳ୍ପନାତୀତ।’’ ଏହି ଅବସରରେ ‘ଆର୍‌ଆର୍‌ଆର୍‌’ ଟିମ୍ ପକ୍ଷରୁ ଟୁଇଟ୍ କରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସେହିପରି ଓସ୍କାର ମଞ୍ଚରେ ତୃତୀୟ ଭାରତୀୟ ତାରକା ଭାବେ ଦୀପିକା ପାଦୁକୋନ୍ ଉପସ୍ଥାପିକା ହେବାର ସୁଯୋଗ ପାଇଛନ୍ତି। ତାଙ୍କ ଆଗରୁ ପରିସିସ୍ ଖାମ୍ବଟା ଓ ପ୍ରିୟଙ୍କା ଚୋପ୍ରା ଏହି ସୁଯୋଗ ପାଇ ସାରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ‘ଓସ୍କାର୍ସ’ରେ ଭାରତ ସମୁଦାୟ ୩ଟି ‘ଓସ୍କାର୍‌’ ‘ନୋମିନେସନ୍‌’ ମିଳିଛି। ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ (ନାଟୁ ନାଟୁ), ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ଫିଚର୍‌ ଫିଲ୍ମ’ (ସୌନକ୍‌ ସେନ୍‌ଙ୍କ ‘ଅଲ୍‌ ଦ୍ୟାଟ୍‌ ବ୍ରିଦ୍‌ସ୍‌) ଏବଂ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ (କାର୍ତିକି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ନିର୍ଦେଶିତ ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’)।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଟ୍ରିକ ପରୀକ୍ଷାରେ ଡ୍ରପଆଉଟକୁ ନେଇ ଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ଜୟନାରାୟଣ....

Tue Mar 14 , 2023
ପ୍ରମୋଦ ନାୟକ(ଭୁବନେଶ୍ୱର): ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କରିଛନ୍ତି ।‘ମାଟ୍ରିକ୍‌ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତକୁ ନେଇ ଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ଜୟନାରାୟଣ। ଡ୍ରପଆଉଟ ଅନୁପାତରେ ପୂରା ଭାରତରେ ଓଡିଶା ଏକ ନମ୍ବର ପାଲଟିଥିଲାବେଳେ। ପରୀକ୍ଷା ବେଳେ ମନ୍ତ୍ରୀ ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି। ଏହାଦ୍ୱାରା ପିଲାଙ୍କ ସ୍ଥିରତା […]

You May Like

Pin It on Pinterest