
ବାସ୍ତବ ବ୍ୟୁରୋ: ଦେଶରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି(ଶନିବାର) କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନୂଆ ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି।
ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ, କେରଳ, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଛି। କରୋନାର ଶେଷ ଦୁଇଟି ଲହରରେ ଏହି ରାଜ୍ୟଗୁଡିକ ସର୍ବାଧିକ ପ୍ରଭାବିତ ହୋଇଥିଲେ । ଏଥି ପାଇଁ କେନ୍ଦ୍ର ସରକାର ଏହି ସବୁ ରାଜ୍ୟରେ ଆବଶ୍ୟକ ଟେଷ୍ଟିଂ ହେଉ ନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ପକ୍ଷରୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ ବିଗତ କିଛି ସପ୍ତାହ ହେଲାଣି କିଛି ରାଜ୍ୟରେ କୋଭିଡ-୧୯ ଟେଷ୍ଟିଂ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଟେଷ୍ଟିଂ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଧାର୍ଯ୍ୟ କରିବାଥିବା ଟାର୍ଗେଟଠାରୁ ଯଥେଷ୍ଟ କମ। ପ୍ରତି ମିଲିୟନରେ ୧୪୦ ଟେଷ୍ଟ କରିବାକୁ କୁହାଯାଇଥିବା ବେଳେ ଏବେ ବହୁତ କମ ଟେଷ୍ଟ ହେଉଛି।

କିଛି ରାଜ୍ୟ କେବଳ କମ କ୍ଷମତା ଥିବା ରାପିଡ ଆଣ୍ଟିଜେନ ଟେଷ୍ଟ ଉପରେ ମଧ୍ୟ କେବଳ ନିର୍ଭର କରୁଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଟେଷ୍ଟିଂ ବୃଦ୍ଧି କରି ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିବା ଦରକାର। ଯଦି ସଂକ୍ରମଣର କୌଣସି ହଟସ୍ପଟ ରହିଛି, ତା’ହେଲେ ତାକୁ ତୁରନ୍ତ ଚିହ୍ନଟ କରାଯାଉ। ଏଥିସହ ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ସମ୍ଭାବ୍ୟ ସଂକ୍ରମଣ ର ମୁକାବିଲା ପାଇଁ ମକ ଡ୍ରିଲ ଆରମ୍ଭ କରିବାକୁ କୁହାଯାଇଛି। ହସ୍ପିଟାଲରେ ଆବଶ୍ୟକ ଔଷଧ, ଆଇସିୟୁ ବେଡ, ମେଡିକାଲ ଇକ୍ୟୁପମେଣ୍ଟ, ମେଡିକାଲ ଅକ୍ସିଜେନ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉ। ଦେଶବ୍ୟାପୀ ଏପ୍ରିଲ ୧୦ ଓ ୧୧ରେ ମକଡ୍ରିଲ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ମକ ଡ୍ରିଲ କରାଯିବ। ସେହିପରି ମାର୍ଚ୍ଚ ୨୭ରେ ମକଡ୍ରିଲ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ଦିଆଯିବ ବୋଲି ଏହି ଚିଠିରେ କୁହାଯାଇଛି। ସେହିପରି ଟିକାକରଣକୁ ଜୋରଦାର କରିବାକୁ ମଧ୍ୟ ମନ୍ତ୍ରଣାଳୟ କହିଛି।