
ବାସ୍ତବ ବ୍ୟୁରୋ: ପୁଣି ଥରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କଲା ଚୀନ । ୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏହିପରି କାର୍ଯ୍ୟ କରିଛି ଡ୍ରାଗନ୍ । ଏହି ଅଞ୍ଚଳଗୁଡ଼ିକର ନାମକରଣ କରିବା ସହ ଚୀନ ଏହାକୁ “ତିବତ୍ର ଦକ୍ଷିଣ ଭାଗ ଜାଙ୍ଗନାନ୍” ବୋଲି କହୁଛି। ପୂର୍ବରୁ ମଧ୍ୟ ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳର ନାମକରଣ କରିଥିବା ବେଳେ ଚୀନ ଏବେ ବି ଉଦ୍ୟମ ଜାରି ରଖିଛି। ଏହାପୂର୍ବରୁ ୨୦୨୧ ମସିହାରେ ଚୀନ୍ ୧୫ ଟି ସ୍ଥାନ ଏବଂ ୨୦୧୭ ରେ ୬ ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା।
ଚୀନର ସିଭିଲ୍ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଭୌଗଳିକ ନାମ ତାଲିକାରେ ୨ଟି ବାସସ୍ଥାନ, ଦୁଇଟି ଆବାସିକ କ୍ଷେତ୍ର, ପାଞ୍ଚଟି ପର୍ବତ ଶିଖର ଏବଂ ଦୁଇଟି ନଦୀ ଅନ୍ତର୍ଭୁକ୍ତ।
ଚୀନ୍ ଅରୁଣାଚଳ ପ୍ରଦେଶକୁ ଭାରତର ରାଜ୍ୟ ଭାବରେ କେବେ ବି ସ୍ୱୀକୃତି ଦେଇ ନାହିଁ। ସେ ଅରୁଣାଚଳକୁ ‘ଦକ୍ଷିଣ ତିବ୍ଦତ’ର ଏକ ଅଂଶ ଭାବରେ ବର୍ଣ୍ଣନା କରୁଛି । ଚୀନ୍ ଅଭିଯୋଗ କରିଛି ଯେ ଭାରତ ଏହାର ତିବ୍ଦତୀୟ ଅଞ୍ଚଳକୁ ଅକ୍ତିଆର କରି ଏହାକୁ ଅରୁଣାଚଳ ପ୍ରଦେଶରେ ପରିଣତ କରିଛି।
ଗ୍ଲୋବାଲ ଟାଇମ୍ସ ପକ୍ଷରୁ ସୋମବାର ରିପୋର୍ଟ ହୋଇଛି ଅରୁଣାଚଳ ପ୍ରଦେଶ ପାଇଁ ତୃତୀୟ ପର୍ଯ୍ୟାୟ ନାମ ଜାରି କରିଛି ଚୀନ। ଚୀନର ଗ୍ଲୋବାଲ ଟାଇମ୍ସ ବିଶେଷଜ୍ଞଙ୍କ କହିବାନୁସାରେ ନାମ ଘୋଷଣା ଏକ ବୈଧ ପଦକ୍ଷେପ ଏବଂ ଏଥିପାଇଁ ଚୀନ୍ର ଅଧିକାର ଅଛି। ଅନ୍ୟପକ୍ଷରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ସ୍ଥାନଗୁଡିକର ନାମକରଣ ଏହା ପ୍ରମାଣ କରୁନାହିଁ ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ।
ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବିକୁ ଗୁରୁତ୍ୱ ଦେବା ପାଇଁ ଚୀନ ଏକ ତୀବ୍ର ପ୍ରୟାସ କରୁଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ଭାରତ। ଭାରତ କହିଛି ଯେ ଏହି ରାଜ୍ୟ ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଆଗକୁ ବି ରହିବ।
ସୂଚନାଯୋଗ୍ୟ ୩୪୮୮ କିଲୋମିଟର ଲମ୍ବା LAC (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ଉପରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି | ତେବେ ଚୀନ୍ ମଧ୍ୟ ଅରୁଣାଚଳ ପ୍ରଦେଶର ଅଂଶକୁ ବିବାଦୀୟ ବୋଲି ବିବେଚନା କରୁଛି।