
ବାସ୍ତବ ବ୍ୟୁରୋ: ଭାରତର ସର୍ବ ପୁରାତନ ଅରବପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଚେୟାରମ୍ୟାନ୍ ଏମିରିଟସ୍ କେଶବ ମହିନ୍ଦ୍ରାଙ୍କ ଆଜି (ବୁଧବାର) ଅର୍ଥାତ ଏପ୍ରିଲ୍ ୧୨ରେ ପରଲୋକ ହୋଇଛି। ସେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କେଶବ ମହିନ୍ଦ୍ରା ୪୮ ବର୍ଷ ଧରି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଥିଲେ । ୨୦୧୨ରେ ସେ ଏହି ପଦ ଛାଡିଥିଲେ।
୧୯୪୭ ମସିହାରେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ କେଶବ ମହିନ୍ଦ୍ରା, ମହିନ୍ଦ୍ରା ଗ୍ରୁପରେ ଯୋଗ ଦେଇଥିଲେ। ଏହା ପରେ ୧୯୬୩ ମସିହାରେ ସେ ଏହି ଗ୍ରୁପର ଚେୟାରମ୍ୟାନ୍ ହୋଇଥିଲେ। ଦୀର୍ଘ ୪୮ ବର୍ଷ ଚୟାରମ୍ୟାନ ପଦରେ ରହିବା ପରେ ୨୦୧୨ରେ ସେ ତାଙ୍କ ପୁତୁରା ଆନନ୍ଦ ମହିନ୍ଦ୍ରାଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଥିଲେ।
୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ କେଶବ ମହିନ୍ଦ୍ରା ପ୍ରଧାନମନ୍ତ୍ରୀ ବାଣିଜ୍ୟ ଓ ଉଦ୍ୟୋଗ ପରିଷଦ ନୂଆଦିଲ୍ଲୀର ସଦସ୍ୟ ମଧ୍ୟ ଥିଲେ। ଏହାଛଡ଼ା କେଶବ ମହିନ୍ଦ୍ରା ଟାଟା ଷ୍ଟିଲ, ସେଲ, ଟାଟା କେମିକାଲ୍ସ, ଇଣ୍ଡିଆନ୍ ହୋଟେଲ, ଆଇଏଫସି ଏବଂ ଆଇସିଆଇସିଆଇ ସମେତ ବିଭିନ୍ନ କମ୍ପାନିର ବୋର୍ଡ ଏବଂ ପରିଷଦରେ ମଧ୍ୟ କାମ କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଫୋର୍ବସ୍ ୨୦୨୩ ବର୍ଷର ଧନୀ ଶିଳ୍ପପତି ତାଲିକାରେ କେଶବ ମହିନ୍ଦ୍ରା ସ୍ଥାନ ପାଇଥିଲେ । ୧୬ ଜଣ ନୂଆ ଅରବପତିଙ୍କ ସହ କେଶବ ମହିନ୍ଦ୍ରା ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଥିଲେ । ଫୋର୍ବସ ତାଲିକା ଅନୁଯାୟୀ, କେଶବ ମହିନ୍ଦ୍ରାଙ୍କ ସମ୍ପତ୍ତି ମୂଲ୍ୟ ୧.୨ ବିଲିୟନ ଡଲାର ରହିଛି।