
ବାସ୍ତବ ବ୍ୟୁରୋ: ରାଜସ୍ଥାନ ଭରତପୁରର ନଦବାଇ ଅଞ୍ଚଳରେ ମହାରାଜା ସୁରଜମଲ ଓ ଡା. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ସୃଷ୍ଟି ହୋଇଛିଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଟେକାପଥର ମାଡ଼ କରିବାକୁ ପଛାଇ ନାହାନ୍ତି। ଏହି ହିଂସାକାଣ୍ଡ ସମୟରେ ଟେକାମାଡ଼ ଯୋଗୁ ବହୁ ପୁଲିସ୍ଙ୍କ ସମେତ ସାଧାରଣ ଲୋକେ ବି ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍କୁ ଲୁହବୁହା ଗ୍ୟାସ ଚଳାଇବାକୁ ପଡ଼ିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ଫୋର୍ସଙ୍କୁ ମତୟନ କରାଯାଇଛି।

ନଦବାଇରେ ସ୍ଥାନୀୟ ମ୍ୟୁନିସିପାଲିଟି ପକ୍ଷରୁ ୩ଟି ସ୍ଥାନରେ ୩ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିନିମନ୍ତେ ଗଠିତ କମିଟି ପକ୍ଷରୁ କୁମ୍ଭେର ସ୍କୋୟାରରେ ମହାରାଜା ସୁରଜମଲଙ୍କ ପ୍ରତିମୂର୍ତ୍ତି, ବୈଲାରା ଛକରେ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ନଗର ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଗଲା। କିନ୍ତୁ ସ୍ଥାନୀୟ ଲୋକେ ନଦବାଇରେ ମହାରାଜା ସୁରଜମଲଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି କରୁଥିଲେ।

ଏହାକୁ ନେଇ ବିବାଦ ଗତ ୮ ତାରିଖରୁ ଆରମ୍ଭ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂ ଘଟଣାର ସମାଧାନ କରିବାକୁ ଯାଇ ଆପଣମାନେ ଯେଉଁଠି ଚାହିଁବେ ସେଠାରେ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତକାଲି ଅର୍ଥାତ ବୁଧବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିଜ ମତ ବଦଳାଇ ବୈଲାରା ଛକରେ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଡେହରା ଛକରେ ମହାରାଜା ସୁରଜମଲଙ୍କ ପ୍ରତିମୂର୍ତ୍ତି ଲଗାଯିବ ବୋଲି କହିଥିଲେ। ଯାହାକୁ ନେଇ ଗତକାଲି ଆରମ୍ଭ ହୋଇଥିବା ବିବାଦ ରାତିରେ ଉଗ୍ର ରୂପ ଧାରଣ କରିଥିଲା।

ପ୍ରଶାସନ ଏହାକୁ କର୍ଣ୍ଣପାତ ନ କରିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବୁଧବାର ରାତିରେ ବିସ୍ଫୋରକ ରୂପ ନେଲା। ଗ୍ରାମବାସୀ ବୈଲାରା ଛକରେ ନିଆଁ ଲଗାଇ ଦେବା ସହ ପଥର ଫିଙ୍ଗିବାକୁ ଆରମ୍ଭ କଲେ। ଖବର ପାଇ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଥିବା ପୁଲିସ୍ ଉପରକୁ ମଧ୍ୟ ସେମାନେ ପଥର ଫୋପାଡ଼ିବାକୁ ଆରମ୍ଭ କଲେ। ଫଳରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସକୁ ଲୁହବୁହା ଗ୍ୟାସ ଛାଡିବାକୁ ପଡିଥିଲା। ଏହାପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏହି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।
ରାତି ପ୍ରାୟ ୮ ଟାରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡ ଡେରି ରାତି ୨ ଟା ପର୍ଯ୍ୟନ୍ତ ଚାଲିଥିଲା । ଆଜି ସକାଳେ ମଧ୍ୟ ପରିବେଶ ଉତ୍ତେଜନାପୂର୍ଣ୍ଣ ଥିବା ଜଣାପଡିଛି ।