
ବାସ୍ତବ ବ୍ୟୁରୋ: ଭାରତ ବର୍ତ୍ତମାନ ଦୁନିଆର ସବୁଠାରୁ ଜନବହୁଳ ଦେଶ ପାଲଟିଛି। ‘ୟୁନାଇଟେଡ୍ ନେସନ୍ସ୍ ପପୁଲେସନ୍ ଫଣ୍ଡ୍’ର (ୟୁଏନ୍ଏଫ୍ପିଏ) ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ୍ଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟା ଥାଇ ଏବେ ଭାରତ ବିଶ୍ବର ସବୁଠୁ ଜନବହୁଳ ଦେଶ ।
‘୮ ବିଲିୟନ୍ ଲାଇଭ୍ସ୍, ଇନ୍ଫିନାଇଟ୍ ପସିବିଲିଟିଜ୍’: ଦି କେସ୍ ଫର୍ ରାଇଟ୍ସ୍ ଆଣ୍ଡ୍ ଚଏସେସ୍’ ନାମରେ ବୁଧବାର ଦିନ ରିଲିଜ୍ ହୋଇଥିବା ‘ୟୁଏନ୍ଏଫ୍ପିଏ’ର ‘ଦି ଷ୍ଟେଟ୍ ଅଫ୍ ୱାର୍ଲଡ୍ ପପୁଲେସନ୍ ରିପୋର୍ଟ, ୨୦୨୩’ରେ ଉଲ୍ଲେଖ ଅଛି, ଭାରତର ଜନସଂଖ୍ୟା ୧,୪୨୮.୬ ନିୟୁତ ଥିବା ବେଳେ ଚୀନ୍ର ଜନସଂଖ୍ୟା ୧,୪୨୫.୭ ନିୟୁତ। ଅର୍ଥାତ୍ ଉଭୟ ଦେଶ ମଧ୍ୟରେ ଜନସଂଖ୍ୟାଗତ ପାର୍ଥକ୍ୟ ୨.୯ ନିୟୁତ।
ରିପୋର୍ଟର ‘ଡିମୋଗ୍ରାଫିକ୍ ଇଣ୍ଡିକେଟର୍ସ’ ବର୍ଗରେ ଏହି ସତ୍ୟତମ ତଥ୍ୟ ଦିଆଯାଇଛି। ‘ୟୁଏନ୍ଏଫ୍ପିଏ’ର ‘ମିଡିଆ ଆଣ୍ଡ୍ କ୍ରାଇସିସ୍ କମ୍ୟୁନିକେସନ୍ସ୍’ର ଉପଦେଷ୍ଟା ଆନ୍ନା ଜିଫେରିଜ୍ କହିଛନ୍ତି, ଗତବର୍ଷ ଚୀନ୍ର ଜନସଂଖ୍ୟା ସର୍ବୋଚ୍ଚ ସୀମାରେ ପହଞ୍ଚିବା ପରେ ନିମ୍ନଗାମୀ ହୋଇଥିଲା ବେଳେ ଭାରତର ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା। ଚୀନ୍ର ଜନସଂଖ୍ୟା ବୃଦ୍ଧି ହାର ୧୯୮୦ରୁ ହ୍ରାସ ପାଇ ଆସୁଛି।

ସେହିପରି, ଭାରତର ଜନସଂଖ୍ୟାର ୨୫% ଜନତା ହେଉଛନ୍ତି ୦-୧୪ ବୟସ ବର୍ଗର, ୧୮% ହେଉଛନ୍ତି ୧୦-୧୯ ବୟସ ବର୍ଗର, ୨୬% ହେଉଛନ୍ତି ୧୦-୨୪ ବୟସ ବର୍ଗର, ୬୮% ହେଉଛନ୍ତି ୧୫-୬୪ ବୟସ ବର୍ଗର ଏବଂ ୭% ହେଉଛନ୍ତି ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗର।
ବର୍ଷ ଆରମ୍ଭରେ ନିଜେ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ଯେ ୨୦୨୩ ମସିହାରେ ଭାରତ ସବୁଠାରୁ ଜନବହୁଳ ଦେଶ ହେବ। ୟୁଏନ୍ଏଫ୍ପିଏ ର ନୂତନ ଆକଳନ ମଧ୍ୟ ଏହା ନିଶ୍ଚିତ କରିଛି । ୧୯୫୦ ମସିହା ପରେ ଭାରତର ପ୍ରଥମ କରି ଭାରତର ଜନସଂଖ୍ୟା ଚୀନ୍କୁ ଟପିଯାଇଛି। ୧୯୫୦ରୁ ହିଁ ଜାତିସଂଘ ଜନସଂଖ୍ୟା ତଥ୍ୟ ସଂଗ୍ରହ କରିବା ସହିତ ପ୍ରକାଶ କରିଆସୁଛି।