ୟେମେନ୍‌ ରେ ଖୈରାତ୍‌ କାର୍ଯ୍ୟକ୍ରମରେ ଦଳଚକଟା: ୮୫ ମୃତ, ଅନେକ ଆହତ

ବାସ୍ତବ ବ୍ୟୁରୋ: ୟେମେନ୍‌ର ରାଜଧାନୀ ସନାରେ ଏକ ଦୁଃଖଦାୟକ ଘଟଣା ସାମ୍ନା କୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଯୁଦ୍ଧ-ବିକ୍ଷତ ୟେମେନ୍‌ରେ ଏକ ଖୈରାତ୍‌ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ଅନ୍ୟୂନ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୨୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ହୌଥୀ ଅଧିକାରୀମାନେ କହିଛନ୍ତି। ଆହତଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ହୌଥୀର ଜଣେ ନିରାପତ୍ତା ଅଧିକାରୀ କହିଛନ୍ତି, ରାଜଧାନୀର ବାବ୍‌ ଅଲ୍‌-ୟେମେନ୍‌ ଜିଲ୍ଲାରେ ଦଳଚକଟା ଯୋଗୁଁ ଅନ୍ୟୂନ ୮୫ଜଣଙ୍କର ମୃତ୍ୟୁ ଘଟିଛି ଓ ୩୨୨ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ମହିଳା ଓ ପିଲାଙ୍କ ସଂଖ୍ୟା ଅଧିକ ବୋଲି ଅନ୍ୟ ଜଣେ ଅଧିକାରୀଙ୍କଠାରୁ ଶୁଣି ‘ଏଏଫ୍‌ପି’ ରିପୋର୍ଟ କରିଛି। ହୌଥୀ ନିୟନ୍ତ୍ରଣାଧୀନ ସନାରେ ଥିବା ‘ଏଏଫ୍‌ପି’ ପ୍ରତିନିଧି କହିଛନ୍ତି, ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଏକ ସ୍କୁଲ୍‌ରେ ଏହି ଅଘଟଣ ଘଟିଛି। ଦାନ-ଖୈରାତ୍‌ ଗ୍ରହଣ କରିବା ଲାଗି ଦାରିଦ୍ର୍ୟପ୍ରପୀଡ଼ିତ ରାଷ୍ଟ୍ରର ବହୁ ଜନତା ସେଠାରେ ସମବେତ ହୋଇଥିଲେ।

ହୌଥୀଦ୍ବାରା ପରିଚାଳିତ ‌ୟେମେନ୍‌ର ଗୃହମନ୍ତ୍ରାଳୟ କହିବା ଅନୁସାରେ, ସନାର ପୁରାତନ ‘ସିଟି ସେଣ୍ଟର୍‌’ରେ ବ୍ୟବସାୟୀମାନେ ଆୟୋଜନ କରିଥିବା ଉକ୍ତ ଖୈରାତ୍‌ ବା ଦାନ କାର୍ଯ୍ୟକ୍ରମରେ ଅସଂଖ୍ୟ ଦରିଦ୍ର ଲୋକ ଗହଳି ଲଗାଇଥିଲେ।

ସ୍ଥାନୀୟ ସରକାରୀ ଅଧିକାରୀମାନଙ୍କ ସହିତ ସମନ୍ବୟ ନ କରି ଏହି ଖୈରାତ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଏଭଳି ଅଘଟଣା ଘଟିଲା ବୋଲି ଗୃହମନ୍ତ୍ରାଳୟର ମୁଖପାତ୍ର ବ୍ରିଗେଡିୟର୍‌ ଅବ୍‌ଦେଲ୍‌-ଖାଲେକ୍‌ ଅଲ୍‌-ଅଘ୍ରି କହିଛନ୍ତି।

ଦଳାଚକଟା ଘଟଣା ପରେ ପରେ ବିଦ୍ରୋହୀମାନେ ତୁରନ୍ତ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସ୍କୁଲ୍‌କୁ ବନ୍ଦ କରି ଦେବାରୁ ସାମ୍ବାଦିକମାନଙ୍କ ସମେତ ସାଧାରଣ ଲୋକେ ବି ଭିତରକୁ ଯାଇ ପାରି ନ ଥିଲେ।

ସେୟାର କରନ୍ତୁ

Next Post

ମେ’ ୯ରେ ବାରିପଦା ଆସିବେ ରାଷ୍ଟ୍ରପତି

Thu Apr 20 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି ଲେଖି ଜଣାଇଛନ୍ତି। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜିଲ୍ଲାକୁ ଆସିବେ। ତେବେ ତାଙ୍କର ଏହି ଗସ୍ତ ସଂପର୍କିତ ସବିଶେଷ କାର୍ଯ୍ୟସୂଚୀ ବିଷୟରେ ସୂଚନା […]

You May Like

Pin It on Pinterest