
ବାସ୍ତବ ବ୍ୟୁରୋ: ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଅନ୍ତର୍ଗତ ଲକ୍ଷ୍ନୌ-ଗୋରଖପୁର ରାଜପଥରେ ଗୋଟାଏ ଯାତ୍ରୀବାହୀ ବସ୍ ଗୋଟାଏ ଟ୍ରକ୍ ସହିତ ଧକ୍କାଖାଇବାରୁ ୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନାନୁସାରେ, ଅଯୋଧ୍ୟାରୁ ଆସୁଥିବା ଉକ୍ତ ଘରୋଇ ବସ୍ ଆମ୍ବେଦକର ନଗର ଆଡ଼କୁ ଯିବା ପାଇଁ ରାଜପଥ ମୋଡ଼ରେ ବୁଲୁଥିବା ବେଳେ ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ମାଲ୍ବାହୀ ଟ୍ରକ୍ ସହିତ ଧକ୍କା ଖାଇବା ପରେ ବସ୍ଟି ଏକପାଖିଆ ହୋଇ ପଡ଼ିଯାଇଥିଲା ଏବଂ ଉକ୍ତ ଟ୍ରକ୍ ମଧ୍ୟ ସେ ବସ୍ ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ପରେ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ୍ ନୀତୀଶ କୁମାର ଗଣମାଧ୍ୟମକୁ କହିଛନ୍ତି, ପ୍ରାୟ ୧୨ଜଣ ଲୋକଙ୍କୁ ଡାକ୍ତରଖାନା ପଠାଯାଇଛି। ୫ଜଣଙ୍କୁ ଜିଲ୍ଲା ହସ୍ପିଟାଲ୍ ଓ ୭ଜଣଙ୍କୁ ଗୋଟାଏ ମେଡିକାଲ୍ କଲେଜକୁ ପଠାଯାଇଛି। କେତେଜଣ ଯାତ୍ରୀଙ୍କର ମୃତ୍ୟୁ ବି ଘଟିଛି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି।
ଦୁର୍ଘଟଣା ଖବର ପାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଥିବା କଥା ତାଙ୍କ କାର୍ଯ୍ୟାଳୟ ଟୁଇଟ୍ କରି ଜଣାଇଛି। ଟୁଇଟ୍ରେ ଲେଖାଅଛି: ଅଯୋଧ୍ୟା ଜନପଦରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଘଟିଥିବା ଜୀବନହାନୀ ଯୋଗୁଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସ୍ବର୍ଗତ ଆତ୍ମାଙ୍କ ଶାନ୍ତି କାମନା କରିବା ସହିତ ସେ ଶୋକସନ୍ତପ୍ତ ପରିଜନଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।
ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦେଶ ଦେବା ସଙ୍ଗେ ସଙ୍ଗେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ କହିଛନ୍ତି। ଏହାଛଡ଼ା, ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।