ଆତ୍ମସମର୍ପଣ କଲା ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ

ବାସ୍ତବ ବ୍ୟୁରୋ: ଶେଷରେ ଆତ୍ମସମର୍ପଣ କରିଛି ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି।

ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ଏହା ସହିତ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛି ପଞ୍ଜାବ ପୁଲିସ।

ଗିରଫ ଅମ୍ରିତପାଲ ସିଂହକୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ। ପୂର୍ବରୁ ଗିରଫ ତା’ର ୮ ଜଣ ସହଯୋଗୀ ମଧ୍ୟ ସେହି ଜେଲରେ ଅଛନ୍ତି। ଏ ସମସ୍ତଙ୍କୁ ଜାତୀୟ ସୁରକ୍ଷା ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

ଦେଶରେ ଶାନ୍ତି ଭଙ୍ଗ କରିବା, ଖଲିସ୍ତାନୀ ଗତିବିଧିକୁ ବଢ଼ାଇବା, ହତ୍ୟା ଉଦ୍ୟମ ଓ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଅନେକ ଅପରାଧିକ ମାମଲା ରହିଛି ଅମ୍ରିତପାଲ ସିଂହ ଓ ତା’ ସହଯୋଗୀଙ୍କ ନାଁରେ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଅମ୍ରିତପାଲ ସିଂହ ମୋଗା ଜିଲ୍ଲାର ରୋଡେ ଗାଁରେ ଥିବା ଗୁରୁଦ୍ୱାରାରେ ପହଞ୍ଚିଥିଲା। ବିଳମ୍ବିତ ରାତିରେ ସେ ସେଠାରେ ଥିବା ନେଇ ମୋଗା ପୁଲିସ୍‌କୁ ନିଜେ ଖବର ଦେଇଥିଲା ଓ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଥିଲା। ତା’ପରେ ମୋଗା ପୁଲିସ୍ ଗୁରୁଦ୍ୱାରାରେ ପହଞ୍ଚିବା ପରେ ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିଥିଲା। ଆଜି ସକାଳେ ଆତ୍ମସମର୍ପଣ କରିବା ପୂର୍ବରୁ ଗୁରୁଦ୍ୱାରରେ ସେ କିଛି ଲୋକଙ୍କୁ ସମ୍ବୋଧିତ ମଧ୍ୟ କରିଥିବାର ଭିଡିଓ ସାମ୍ନାକୁ ଆସିଛି। ରୋଡେ ହେଉଛି ଆତଙ୍କବାଦୀ ଜରନୈଲ ସିଂହ ଭିଣ୍ଡରାନୱାଲେର ଜନ୍ମମାଟି, ଯିଏ ଅପରେସନ ବ୍ଲ୍ୟୁ ଷ୍ଟାରରେ ନିହତ ହୋଇଥିଲା।

ସୂଚନାଯୋଗ୍ୟ, ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖୁଥିବା ଅମ୍ରିତପାଲ ଗତ ଫେବ୍ରୁଆରି ୨୩ରେ ଚର୍ଚ୍ଚାକୁ ଆସିଥିଲା। ତା’ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍ ଗିରଫ କରିଥିଲା। ତାକୁ ଥାନାରୁ ଭଗାଇ ଆଣିବାକୁ ଅମ୍ରିତପାଲ ନିଜ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କ ହାତରେ ଖଣ୍ଡା ଓ ବନ୍ଧୁକ ଥିଲା। ସେମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ଅଜନାଲା ଥାନା ଭିତରେ ପଶିଥିଲେ। ଏକ ଅପହରଣ ମାମଲାରେ ଫସିଥିବା ତା’ ସହଯୋଗୀ ଲବପ୍ରୀତ ସିଂହକୁ ପୁଲିସ୍ ଛାଡ଼ି ଦେବ ବୋଲି ସେ ଓ ତା’ ସଂଗଠନର ସଦସ୍ୟମାନେ ପୁଲିସ ଠାରୁ ପ୍ରତିଶ୍ରୁତି ନେଇଥିଲେ। ଥାନାକୁ ଜୋରଜବରଦସ୍ତ ପ୍ରବେଶ କରିବା ବେଳେ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।

ଏହା ପରେ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକାବନ୍ଦୀ କରିଥିଲା। ତେବେ ଅମ୍ରିତପାଲ ସିଂହ ଖସି ପଳାଇବାରେ ସକ୍ଷମ ହୋଇଥିଲା। ତାକୁ ଧରିବା ପାଇଁ ମାର୍ଚ୍ଚ ୧୮ ତାରିଖରୁ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ପୁଲିସ୍ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲେ। ଏପ୍ରିଲ୍ ୨୦ ରେ ଅମ୍ରିତପାଲର ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରିଥିଲେ କଷ୍ଟମ ଅଧିକାରୀ। ସେ ଲଂଣ୍ଡନ ପଳାଇବାକୁ ଚାହୁଁଥିବା ବେଳେ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ଆଉ ଏହି ଘଟଣାର ୩ ଦିନ ପରେ ଆତ୍ମସମର୍ପଣ କରିଛି ଅମ୍ରିତପାଲ।

ସେୟାର କରନ୍ତୁ

Next Post

ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୧୧୨; ୬୭ ହଜାର ଉପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

Sun Apr 23 , 2023
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୧୧୨ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୦୦୦ରୁ ଅଧିକ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୧୧୨ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୧୧୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ […]

You May Like

Pin It on Pinterest