
ବାସ୍ତବ ବ୍ୟୁରୋ: ଆଜି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ ବିଶ୍ୱନାଥନ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହି ଦୁଇ ଜଣଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ସର୍ବୋଚ୍ଚ ଅଦାଲତରେ ସର୍ବାଧିକ ୩୪ ଜଣ ବିଚାରପତି ରହି ପାରିବେ। ଏବେ ସବୁ ପଦବୀ ପୂରଣ ହୋଇ ସାରିଛି।
ମେ’ ୧୬ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ମିଶ୍ର ଓ ବିଶ୍ୱନାଥନଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ କରିଥିଲେ। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଉପରେ ମୋହର ମାରିଥିଲେ।
ବିଶ୍ୱନାଥନ ଜଷ୍ଟିସ ଜେବି ପାରଡିୱାଲାଙ୍କ ଅବସର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ପାରଡିୱାଲା ୨୦୩୦ ଅଗଷ୍ଟ ୧୧ରେ ଅବସର ନେବେ। ସେତେବେଳକୁ ବରିଷ୍ଠତା ଦୃଷ୍ଟିରୁ ବିଶ୍ୱନାଥନ ହିଁ ସିଜେଆଇ ହେବେ। ସେ ଏହି ପଦରେ ୨୦୩୧ ମସିହା ମେ’ ୨୫ ଯାଏ କାର୍ଯ୍ୟ କରିପାରିବେ। ସେହିପରି ବିଶ୍ୱନାଥନ ୧୦ମ ବ୍ୟକ୍ତି ଭାବେ ଓକିଲରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି।



