
ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର୍ ଅଫ୍ ଫିଜି’ ପ୍ରଦାନ କରାଯାଇଛି। ବୈଶ୍ବିକ ନେତୃତ୍ବ ଲାଗି ଫିଜିର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର୍ ଅଫ୍ ଫିଜି’ ପ୍ରଦାନ କରିଛନ୍ତି। ଏଯାବତ୍ ମାତ୍ର ସ୍ବଳ୍ପ କେତେଜଣ ଅଣ-ଫିଜୀୟ ଏହି ସମ୍ମାନ ପାଇଛନ୍ତି।
କୌଣସି ଅଣ-ଫିଜି ନାଗରିକଙ୍କ କ୍ଷେତ୍ରରେ ଏହା ହେଉଛି ଗୋଟାଏ ଦୁର୍ଲଭ ସମ୍ମାନ। ଫିଜିର ପ୍ରଧାନମନ୍ତ୍ରୀ ସିଟିଭିନି ରାବୁକାଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ ଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନାନୁଯାୟୀ, ଭାରତ ପାଇଁ ଏହା ଏକ ବିଶେଷ ସମ୍ମାନ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଟୁଇଟ୍ କରି କହିଛି, “ଏହି ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀ ଓ ଦୁଇ ଦେଶ ମଧ୍ୟରେ ବିଶେଷ ତଥା ସ୍ଥାୟୀ ବନ୍ଧନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ‘ଫିଜି-ଭାରତୀୟ’ ପିଢ଼ିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।”
ନ୍ୟୁ ପପୁଆ ଗିନିରେ ଆୟୋଜିତ ‘ଫୋରମ୍ ଫର୍ ଇଣ୍ଡିଆ-ପେସିଫିକ୍ ଆଇଲାଣ୍ଡସ୍ କୋଅପରେସନ୍’ (ଏଫ୍ଆଇପିଆଇସି) ଶିଖର ସମ୍ମିଳନୀର ଅନ୍ତରାଳରେ ଫିଜିର ପ୍ରଧାନମନ୍ତ୍ରୀ ରାବୁକାଙ୍କୁ ଭେଟିଥିଲେ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ଫିଜିର ପ୍ରଧାନମନ୍ତ୍ରୀ ରାବୁକାଙ୍କୁ ସାକ୍ଷାତ୍ କରି ପ୍ରୀତ ହେଲି। ବିଭିନ୍ନ ବିଷୟରେ ଆମେ ବିଶେଷ ଆଲୋଚନା କରିଛୁ। ଭାରତ ଓ ଫିଜିର ସମ୍ପର୍କ ଦୀର୍ଘ ଦିନ ଧରି ତିଷ୍ଠି ରହିଛି। ଆଗାମୀ ବର୍ଷମାନଙ୍କରେ ଏହି ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ଆମେ ଏକତ୍ର ଉଦ୍ୟମ ଅବ୍ୟାହତ ରଖିବୁ।”
