
ବାସ୍ତବ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ସମୁଦ୍ର ମଧ୍ୟରେ ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଚାଲିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ। ଅତିରୁ ଅତି ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା ବିପର୍ଯ୍ୟୟ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ।
ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ ଏଯାଏ କରିନି। ତଥାପି ବାତ୍ୟା ବିପର୍ଯ୍ୟୟ ଗୁଜରାଟର କଚ୍ଚ କିମ୍ବା ପାକିସ୍ତାନର କରାଚିରେ ସ୍ଥଳ ଭାଗ ଛୁଇଁପାରେ।
ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ କରି କହିଛି ଯେ ଅତିଭୀଷର ବାତ୍ୟା ବିପର୍ଯ୍ୟୟ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି। ଏହା ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତ-ଉତ୍ତରପୂର୍ବ ଦିଗରେ ଗତି କରିବ। ବର୍ତ୍ତମାନ ଏହା ଗୋଆଠାରୁ ୭୦୦ କିମି, ମୁମ୍ବାଇ ଠାରୁ ୬୨୦ କିମି, ପୋରବନ୍ଦର ଠାରୁ ୫୯୦ କିମି ଓ ପାକିସ୍ତାନର କରାଚି ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଛି।
ଏହାର ପ୍ରଭାବରେ ଆଜି ସୌରାଷ୍ଟ୍ର ଓ କଚ୍ଚ ଉକପୂଳରେ ପବନର ବେଗ ଘଣ୍ଟା ପ୍ରତି ବେଗ ୩୫ରୁ ୪୫ କିମି ରହିଛି। ବେଳେ ବେଳେ ଏହା ୫୫ କିମି ରହୁଛି। ଜୁନ ୧୧ରେ ଏଠାରେ ପନବର ବେଗ ଘଣ୍ଟା ପ୍ରତି ବେଗ ୪୦ରୁ ୫୦ କିମି ରହିବ। ୧୨ରେ ସର୍ବାଧିକ ୬୫ କିମି ଓ ୧୩ ଏବଂ ୧୪ ତାରିଖରେ ପବନର ବେଗ ୭୫ କିମି ରହିପାରେ ବୋଲି ପାଣିପାଗ ବିଭାଗ କହିଛି।
ଆରବ ସାଗରରେ ବାତ୍ୟାର ପ୍ରଭାବ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ଗୁଜରାଟ, କେରଳ, କର୍ଣ୍ଣାଟକା ଓ ଲକ୍ଷ୍ୟଦ୍ୱୀପ ସଲଗ୍ନ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି। ସେହିପରି କେରଳର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଜୁନ ୧୪ ଯାଏ ତିଥାଲ ବିଚ୍କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।



