
ବାସ୍ତବ ବ୍ୟୁରୋ: ମଣିପୁର ଘଟଣାକୁ ନେଇ ବିରୋଧୀମାନେ ଜବାବ୍ ମାଗୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି କି ମଣିପୁର ଘଟଣା ଉପରେ ଚର୍ଚ୍ଚା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି । ଏବେ ବାଚସ୍ପତି ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କେବେ ସମୟ ସ୍ଥିର କରିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ବିରୋଧୀ ମେଣ୍ଟ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ କହିଛନ୍ତି ଯେ ସଂସଦରେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସାଂସଦ ରହିଛନ୍ତି ତେଣୁ ଏସବୁ କଥାରେ ବିରୋଧୀ ମୁଣ୍ଡ ନପୁରାଇ କିଭଳି ସଂସଦରେ ଉଭୟ ସାଂସଦଙ୍କ ମଧ୍ୟରେ ସହଯୋଗ କରି ସଂସଦ ଚଳାଇବା ନେଇ ଚିନ୍ତା କରିବା ଦରକାର । ଆମେ ମଣିପୁର ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲୁ । ହେଲେ ବିରୋଧୀମାନେ ବୈଠକକୁ ନଆସି ସଂସଦରେ ହଟ୍ଟଗୋଳ କରିବା ଦ୍ୱାରା ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କଥା ପିୟୂଷ ଗୋଏଲ କହିଛନ୍ତି ।