
ବାସ୍ତବ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଗିରଫ । ତୋଷଖାନା ମାମଲାରେ ଇମ୍ରାନଙ୍କୁ କୋର୍ଟ ୩ବର୍ଷ ଦଣ୍ଡାଦେଶ ଦେବା ପରେ, ଲାହୋରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି ପାକିସ୍ତାନ ପୋଲିସ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସଲାମାବାଦର ଏକ ତଳ କୋର୍ଟ ତୋଷଖାନା ମାମଲାର ଶୁଣାଣି କରି ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । ଅଦାଲତ ଇମ୍ରାନଙ୍କୁ ୩ବର୍ଷ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତିି । ତେବେ ଜରିମାନା ଆଦାୟ ହୋଇନପାରିଲେ ସେ ଆଉ ୬ମାସ ଜେଲରେ ରହିବେ । ଏହି ଦଣ୍ଡାଦେଶ ଘୋଷଣା ହେବା ପରେ ଇମ୍ରାନ୍ ଖାନ୍ ଙ୍କୁ ଆସନ୍ତା ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଇମ୍ରାନଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ତଥା ସେସନସ ଜଜ୍ ହୁମାୟୁନ୍ ଦିଲାୱାର କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇଛି । ମାମଲାର ପୁନଃବିଚାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ରାୟ ଦେଇଛନ୍ତି ତଳ କୋର୍ଟ ।



