
ବାସ୍ତବ ବ୍ୟୁରୋ: ଆଜି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।
ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ରାଜ୍ୟପାଳ ରେବନ୍ତଙ୍କୁ ଶପଥ ପାଠ କରାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନଙ୍କ ଖଡଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହିତ ତମାମ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ ।
ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭାବେ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଶପଥ ନେଇଛନ୍ତି। ସେହିପରି ଆଉ ୧୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ କୁମାର ରେଡ୍ଡୀ ଅଛନ୍ତି। ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ।
୫୪ ବର୍ଷୀୟ ରେବନ୍ଥ ରେଡ୍ଡୀ ଯୁବାବସ୍ଥାରୁ ରାଜନୀତିରେ ଅଛନ୍ତି। ଛାତ୍ର ଥିବା ବେଳେ ସେ ଏବିଭିପି ସହିତ ଜଡ଼ିତ ଥିଲେ। ୨୦୦୬ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ଜିତିଥିଲେ। ୨୦୦୭ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ।
ଟିଡିପି ଟିକେଟରେ ରେବନ୍ଥ ରେଡ୍ଡୀ ୨୦୦୯ରେ ଆନ୍ଧ୍ର ପ୍ରଦେଶ ବିଧାନସଭା ଓ ୨୦୧୪ରେ ତେଲେଙ୍ଗାନା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ କଂଗ୍ରେସରେ ମିଶିଥିଲେ। ୨୦୧୮ତେଲଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ଥ ରେଡ୍ଡୀ କଂଗ୍ରେସ ପ୍ରାର୍ଥୀ ଭାବେ କୋଡଙ୍ଗଲ ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ମାଲକାଜଗିରି ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୨୧ରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ଦଳର ତେଲଙ୍ଗାନା ମୁଖ୍ୟ କରିଥିଲେ।