
ବାସ୍ତବ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ତା’ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ସେ ପୁଣି ବାରଣାସୀରୁ ନିର୍ବାଚନ ଲଢ଼ିବା। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ, ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ଓ ରାଜନାଥ ସିଂହ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ।
ଅନ୍ୟପଟେ, ଏହି ୧୯୫ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ତାଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିଛି। ଏହା ସହିତ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବାଂସୁରୀ ସ୍ୱରାଜ।
ଗତ ଥର ନୂଆଦିଲ୍ଲୀ ଲୋକସଭା ଆସନରୁ ଜିତିଥିଲେ ମିନାକ୍ଷୀ ଲେଖି। ସେ ଏବେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଅଛି। ତେବେ ଏଥର ଦଳ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରି ନାହିଁ। ତାଙ୍କ ବଦଳରେ ବାଂସୁରୀଙ୍କୁ ଦଳ ପ୍ରାର୍ଥୀ କରିଛି।
ବିଜେପି ଆଜି ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ପଶ୍ଚିମବଙ୍ଗରୁ ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ମଧ୍ୟ ପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମରୁ ୧୧, ଝାଡ଼ଖଣ୍ଡରୁ ୧୧, ଛତିଶଗଡ଼ରୁ ୧୧, ଦିଲ୍ଲୀରୁ ୫, ଜମ୍ମୁ ଓ କଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩, ଅରୁଣାଚଳ ପ୍ରଦେଶରୁ ୨, ଗୋଆରୁ ୧, ତ୍ରିପୁରା ୧, ଆଣ୍ଡାମାନରୁ ୧ ଓ ଡାମନ ଡିଉରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।