ବାସ୍ତବ ବ୍ୟୁରୋ : ପରସ୍ପରର ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ଇର୍ଫାନ୍ ଖାନ୍ । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ୨୦୧୮ରୁ ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ଦିନ ମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କର ପେଟରେ ଅନ୍ତଃନଳୀ ସଂକ୍ରମଣ ହୋଇ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ଗତକାଲି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହାସହ ନିକଟରେ ତାଙ୍କର ଅଂଗ୍ରେଜୀ ମିଡ଼ିଅମ ଫିଲ୍ମ ରିଲିଜ ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନର ଜୟପୁରରେ ଇରଫାନଙ୍କ ଜନ୍ମ । ସେ ହିନ୍ଦୀ ଟେଲିଭିଜନ ସିରିଏଲରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ।
ନିଜର ଉଚ୍ଚକୋଟିର ଅଭିନେୟ ବଳରେ ଲୋକପ୍ରିୟତା ହାସଲ କରିଥିବା ଇରଫାନ ବଲିଉଡ ସହ ହଲିଉଡ଼ରେ ମଧ୍ୟ ନାଁ କରିଥିଲେ | ସେ ଅଭିନେତା ହେବା ସ୍ବପ୍ନ କେବେ ଦେଖିନଥିଲେ | ପିଲାଦିନୁ ସେ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରୁଥିଲେ | ସେଥିପାଇଁ ବଡ ହୋଇ କ୍ରିକେଟ ଖେଳାଳି ହେବାର ଲକ୍ଷ୍ୟ ରଖିଥିଲେ ଇରଫାନ | ସେ ବହୁତ ଭଲ କ୍ରିକେଟ ମଧ୍ୟ ଖେଳୁଥିଲେ | ସୂତ୍ର ଅନୁଯାୟୀ, ତାଙ୍କର ଚୟନ ନାଇଡୁ ଟ୍ରଫି ପାଇଁ ହେବାକୁ ଥିଲା | କିନ୍ତୁ ଆର୍ଥିକ ସମସ୍ୟା ଏବଂ ପରିବାରର ବାରଣ ଯୋଗୁଁ ତାଙ୍କର ସ୍ବପ୍ନ ଅଧୁରା ରହିଯାଇଥିଲା |
ସେ ୨୦୧୧ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିବା ବେଳେ ଅନେକ ଥର ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଇର୍ଫାନ୍ ପ୍ରାୟ ଦୁଇ ଦଶନ୍ଧି ଧରି କାମ କରିଥିଲେ। ତାଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି ‘ସଲାମ ବମ୍ବେ’, ‘ମକ୍ବୁଲ୍’, ‘ପାନ୍ ସିଂ ତୋମାର୍’, ‘ଦି ଲଞ୍ଚ୍ ବକ୍ସ୍’, ‘ହାଇଦର୍’, ‘ଗୁଣ୍ଡେ’, ‘ପିକୁ’, ‘ତଲ୍ୱାର୍’ , ‘ହିନ୍ଦୀ ମିଡିୟମ୍’ ଏବଂ ‘ଅଙ୍ଗ୍ରେଜି ମିଡିୟମ୍’ ।
ଭାରତୀୟ ଚଳଚ୍ଚିତ୍ରରେ ଉଚ୍ଚକୋଟିର ଅଭିନୟ କରିବା ସହ ସେ ‘ସ୍ଲମ୍ଡଗ୍ ମିଲିୟନେୟାର୍’, ‘ଜୁରାସିକ୍ ୱାର୍ଲଡ୍’ ‘ଦି ଆମାଜିଙ୍ଗ୍ ସ୍ପାଇଡର୍ ମ୍ୟାନ୍,’’ ଏବଂ ‘ଲାଇଫ୍ ଅଫ୍ ପାଇ’ ଭଳି ଆନ୍ତର୍ଜାତିକ ବ୍ଲକ୍ବଷ୍ଟର୍ ସିନେମାରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ ।
୨୦୧୯ରେ ଇର୍ଫାନ୍ ଅନେକ ମାସ ଧରି ବିଦେଶରେ ଚିକିତ୍ସାଧୀନ ଥିଲେ। ସେ ସମୟରେ ସେ ଗୋଟିଏ ମାତ୍ର ପ୍ରୋଜେକ୍ଟ୍ ହୋମି ଆଦାଜାନିଆଙ୍କ ‘ଅଙ୍ଗ୍ରେଜି ମିଡିୟମ୍’ରେ କାମ କରୁଥିଲେ।
ଶନିବାର ଦିନ ଇର୍ଫାନ୍ଙ୍କର ମାଆ ସଇଦା ବେଗମ୍ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ଭିଡିଓ କଲ୍ ଜରିଆରେ ଇର୍ଫାନ୍ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ବୋଲି କୁହାଯାଇଥିଲା।