ବାସ୍ତବ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍ସଙ୍ଗର ଉଦ୍ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଏହି ସତ୍ସଙ୍ଗର ଆୟୋଜନ କରାଯାଇଥିଲା। ସ୍ଥାନୀୟ ସ୍ୱୟଂ ଘୋଷିତ ଗୁରୁ ଭୋଲା ବାବା ଓରଫ ନାରାୟଣ ସାକର ହରିଙ୍କ ସମ୍ମାନାର୍ଥେ ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନେ ଯେତେବେଳେ ଘରକୁ ଫେରିଯିବାକୁ ବାହାରିଥିଲେ ସେତେବେଳେ ଦଳାଚକଟା ହୋଇଥିଲା।
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, “ସତ୍ସଙ୍ଗରେ ବହୁତ ଭିଡ଼ ଜମି ଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ ସମସ୍ତେ ଘରକୁ ଫେରିଯିବାକୁ ବାହାରିଥିଲୁ। ତେବେ ବାହାରିବା ସ୍ଥାନଟି ଖୁବ୍ ଛୋଟ ଥିଲା। ଆମେ ସେଠାରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଠେଲାପେଲା ଆରମ୍ଭ ହୋଇଗଲା। ପରେ ଏହା ଦଳାଚକଟାର ରୂପ ନେଇଥିଲା। ଦଳାଚକଟା ବେଳେ କିଛି ଲୋକ ସେଥିରୁ ବର୍ତ୍ତିବାକୁ ଉଦ୍ୟମ କରି ରାସ୍ତାକଡ଼ରେ ଥିବା ଡ୍ରେନ୍ରେ ପଡ଼ି ଯାଇଥିଲେ। ରାସ୍ତା ଉଚ୍ଚରେ ଥିଲା ଓ ତା’ ତଳେ ଡ୍ରେନ୍ ଥିଲା। ସେତେବେଳେ ଆମେ ଜାଣିପାରିଲୁନି କ’ଣ କରିବୁ। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।”
ଅନ୍ୟପକ୍ଷରେ, ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି, ଏହା ଏକ ହୃଦୟ ବିଦାରକ ଘଟଣା। ନିଜ ପରିବାରଜନଙ୍କୁ ହରାଇଥିବା ଲୋକଙ୍କୁ ମୁଁ ସମବେଦନା ଜଣାଉଛି ତଥା ଆହତମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛି।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକସଭାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଦୁଇ ଜଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।



