
ନୂଆଦିଲ୍ଲୀ: ବିଶ୍ବର ବଡ଼ ମୋବାଇଲ ନିର୍ମାତା ଆପଲ ଭାରତରେ କ୍ରମାଗତ ଭାବେ ଏହାର ବ୍ୟବସାୟ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେଉଛି। ଚୀନ ଉପରେ ଏହାର ନିର୍ଭରତା କମ୍ କରିବା ପାଇଁ କମ୍ପାନୀ ଭାରତ ଉପରେ ଗୁରୁତ୍ବ ଦେଉଛି।
ଏହି କାରଣରୁ ଏବେ ଭାରତରେ ବହୁ ମାତ୍ରାରେ ଚାକିରି ସୁଯୋଗ ସୃଷ୍ଟି ହେବା ନେଇ ଅନୁମାନ କରାଯାଉଛି। ଯାହା ଚୀନ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହି ଖବର ଚୀନ୍କୁ ପୁଣି ଚିନ୍ତାରେ ପକାଇପାରେ। ଆପଲ ଭାରତରେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ। କାରଣ ଆପଲ ଚୀନ୍ ବଦଳରେ ଭାରତରୁ ବ୍ୟବସାୟ ବଢ଼ାଇବାକୁ ଯେଉଁ ଉଦ୍ୟମ କରୁଛି, ତାହା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ଦେଶରେ ଏହି ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରେ। ରିପୋର୍ଟ ଅନୁଯାୟୀ, ଆପଲ ଭାରତରେ ୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ବଡ଼ କଥା ହେଉଛି ଏହି ନିଯୁକ୍ତିରେ କମ୍ପାନୀର ଶ୍ରମ ସମ୍ବଳରେ ୭୦ ପ୍ରତିଶତରୁ ଅଧିକ ମହିଳା ରହିବେ। ଆହୁରି ମଧ୍ୟ ଆପଲ ଭାରତରେ ଏହାର ଉତ୍ପାଦନ କ୍ଷମତା ବଢ଼ାଇବା ଉପରେ କାମ କରୁଛି।
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ତାମିଲନାଡୁ ପ୍ଲାଣ୍ଟରେ ହଜାର ହଜାର କର୍ମଚାରୀଙ୍କ ପାଇଁ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଆରମ୍ଭ କରିଛି। ବାସ୍ତବରେ କମ୍ପାନୀ ସେପ୍ଟେମ୍ବର ୯ରେ ଏହାର ଆଗାମୀ ନୂଆ ଆଇଫୋନ୍ ୧୬ ସିରିଜ୍ର ଶୁଭାରମ୍ଭ କରିବାକୁ ଯାଉଛି। କେବଳ ସେତିକି ନୁହେଁ କମ୍ପାନି ଭାରତରେ ଏହାର ହାଇ ଏଣ୍ଡ୍ ପ୍ରୋମ୍ୟାକ୍ସ ମଡେଲକୁ ମଧ୍ୟ ଆସେମ୍ବଲ କରିବା ନେଇ ଯୋଜନା କରୁଛି। ଯାହାର ଉତ୍ପାଦନ ଆପଲର ପାର୍ଟନର ଫକ୍ସକନ ଟେକ୍ନୋଲୋଜି ଗ୍ରୁପ୍ ତାମିଲନାଡୁର ଶ୍ରୀପେରବୁଦୂରରେ କରିବ।