ବାସ୍ତବ ବ୍ୟୁରୋ: ପରଲୋକରେ ବରିଷ୍ଠ ରାଜନେତା ତଥା ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ । ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି । ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ ।
ସୀତାରାମ ୟେଚୁରୀ ସିପିଆଇ (ଏମ୍)ର ବରିଷ୍ଠ ସଦସ୍ୟ। ୧୯୫୨ ମସିହା ଅଗଷ୍ଟ ୧୨ ତାରିଖରେ ୟେଚୁରୀ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ। ୨୦୦୪ରେ UPA ଗଠନ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଦିଲ୍ଲୀର ସେଣ୍ଟ ଷ୍ଟେଫେନ କଲେଜ ଓ ଜେଏନୟୁର ପୂର୍ବତନ ଛାତ୍ର ୟେଚୁରୀଙ୍କ ରାଜନୀତିକ ଯାତ୍ରା ବେଶ ଲମ୍ବା। ସେ ନିଜର ରାଜନୀତିକ ଯାତ୍ରା ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆରୁ ଆରମ୍ଭ କରିଥିଲେ ଓ ୧୯୭୫ରେ ସିପିଆଇଏମରେ ଯୋଗ ଦେଇଥିଲେ। ଜରୁରୀ ପରିସ୍ଥିତି ସମୟରେ ସେ ଜେଏନୟୁର ଛାତ୍ର ଥିବାବେଳେ ଗିରଫ ହୋଇଥିଲେ । ୧୯୯୨ରୁ ସେ ସିପିଆଇ ପଲିଟିବ୍ୟୁରୋର ସଦସ୍ୟ ରହିଥିଲେ । ୟେଚୁରୀ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୧୬ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିଲେ। ୟେଚୁରୀ ୧୯୭୪ମସିହାରେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ)ରେ ଯୋଗ ଦେଇଥିଲେ । ବର୍ଷକ ମଧ୍ୟରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସଦସ୍ୟ ହୋଇଥିଲେ ।
ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ରାଜନେତାମାନେ ମତ ରଖିଛନ୍ତି। ତାଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି “ସିପିଆଇ(ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବର ପାଇ ଦୁଃଖିତ। ପ୍ରଥମେ ଜଣେ ଛାତ୍ର ନେତା, ଏହାପରେ ଜାତୀୟ ରାଜନୀତି ଓ ଜଣେ ସାଂସଦ, ତାଙ୍କ ପାଖରେ ବିଶିଷ୍ଟ ଓ ପ୍ରଭାବଶାଳୀ ସ୍ୱର ଥିଲେ। ସେ ଗୋଟିଏ ନିର୍ଦ୍ଦିଷ୍ଟ ବିଚାରଧାରାର ହୋଇଥିଲେ ହେଁ ଦଳମତ ନିର୍ବିଶେଷରେ ତାଙ୍କର ଅନେକ ବନ୍ଧୁ ଥିଲେ। ତାଙ୍କ ପରିବାର ଓ ସହ କର୍ମୀଙ୍କୁ ମୋ ଶୋକ ଜଣାଉଛି।”
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବର ପାଇ ଦୁଃଖିତ। ସେ ବାମପନ୍ଥୀ ଆନ୍ଦୋଳନର ଉଜ୍ଜ୍ୱଳ ଆଲୋକ ଥିଲେ। ବିଭିନ୍ନ ରାଜନୀତିକ ଦଳ ସହ ଯୋଡ଼ି ହେବାର କଳା ତାଙ୍କୁ ଜଣା ଥିଲା। ସେ ଜଣେ ପ୍ରଭାବଶାଳୀ ସାଂସଦ ଭାବେ ନିଜର ଛାପ ଛାଡ଼ିଛନ୍ତି ବୋଲି ମୋଦି କହିଛନ୍ତି।
ୟେଚୁରୀ ଭାରତ ପରିକଳ୍ପନାର ସୁରକ୍ଷାକାରୀ ଥିଲେ ବୋଲି ତାଙ୍କ ଦେହାନ୍ତ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି, “ସୀତାରାମ ୟେଚୁରୀ ଜଣେ ବନ୍ଧୁ ଥିଲେ। ଆମ ଦେଶକୁ ଭଲ ଭାବେ ବୁଝିଥିବା ଭାରତ ପରିକଳ୍ପନାରର ସେ ଜଣେ ସୁରକ୍ଷାକାରୀ। ଆମେ କରୁଥିବା ଦୀର୍ଘ ସମୟର ଆଲୋଚନାକୁ ବହୁତ ମିସ କରିବି। ଏହି ଦୁଃଖଦ ସମୟରେ ମୁଁ ତାଙ୍କ ବନ୍ଧୁ, ପରିବାର ବର୍ଗ ଓ ସମର୍ଥକଙ୍କୁ ଶୋକ ଜଣାଉଛି।”