
ବାସ୍ତବ ବ୍ୟୁରୋ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ରାତିରେ ଦେହାନ୍ତ ହୋଇଯାଇଛି। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି।
ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରି କହିଛନ୍ତି, “ଭାରତ ଜଣେ ଆଇକନଙ୍କୁ ହରାଇଛି। ଦେଶ ପାଇଁ ତାଙ୍କର ଅବଦାନ ଅମୂଲ୍ୟ ଅଟେ। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏକ୍ସରେ ଲେଖିଛନ୍ତି ଆତ୍ମନିର୍ଭରଶୀଳ ଭାରତ ଗଠନରେ ତାଙ୍କର ଅବଦାନ ଭାରତ ତଥା ବାହାରେ ଉଦ୍ୟୋଗୀମାନଙ୍କ ପାଇଁ ସବୁଦିନ ପାଇଁ ପ୍ରେରଣା ହେବ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆ ଏକ୍ସରେ ଲେଖିଛନ୍ତି “ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ । ଦୟାଳୁ ଆତ୍ମା ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ବାରମ୍ବାର ଭେଟିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପଶୁ କଲ୍ୟାଣ ଭଳି କେତେକ କାରଣ ପାଇଁ ସେ ଚାମ୍ପିୟନ ହୋଇଥିଲେ।”
ରତନ ଟାଟାଙ୍କ ବିୟୋଗରେ ଦିନିକିଆ ଛୁଟି ଘୋଷଣା ହୋଇଛି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ସେହିପରି ମୁମ୍ବାଇ ହେଉଛି ରତନ ଟାଟାଙ୍କ ହୋମ୍ ଟାଉନ୍। ତେଣୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଦିନିକିଆ ଶୋକ ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମୁମ୍ବାଇର କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ । ସେ ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକ୍ଚର ଏବଂ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ୧୯୬୨ ରେ ଟାଟା ଗ୍ରୁପରେ ଯୋଗ ଦେବା ପୂର୍ବରୁ ରତନ ଟାଟା ଆମେରିକାରେ କିଛି ସମୟ କାମ କରିଥିଲେ । ୧୯୮୧ମସିହାରେ ତାଙ୍କୁ ଟାଟା ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ କରାଯାଇଥିଲା । ୧୯୯୧ରେ ଜେଆରଡି ଟାଟାଙ୍କ ଅବସର ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୨ରେ ତାଙ୍କ ଅବସର ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ ।