ବାସ୍ତବ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା । ଡିସେମ୍ବର ୨୬ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ ହେବ । ଏହା ସହିତ ଶୁକ୍ରବାର ସମସ୍ତ ସରକାର କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧିରେ ଜାତୀୟ ପତାକା ଅର୍ଧନମିତ ହୋଇ ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ଆଜି ଶେଷ ଦର୍ଶନ ପାଇଁ ଦିଲ୍ଲୀ ଏମ୍ସରୁ ତାଙ୍କ ପାର୍ଥିବ ଶରୀର ବାସଭବନକୁ ନିଆଯାଇଛି । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର ହେବ । ଦିନ ପ୍ରାୟ ୧୧ଟାରେ ଶେଷକୃତ୍ୟ ହେବ । ଏହା ପୂର୍ବରୁ ଦିଲ୍ଲୀର ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ । ବିଦେଶରେ ରହୁଥିବା ତାଙ୍କ ଝିଅ ଭାରତରେ ପହଞ୍ଚିବା ପରେ ଡ. ମନମୋହନ ସିଂହଙ୍କୁ ଅନ୍ତିମ ବିଦାୟ ଦିଆଯିବ ।
ସେହିପରି ଶ୍ରୀ ସିଂହଙ୍କ ପରଲୋକ ଯୋଗୁ କଂଗ୍ରେସ ମଧ୍ୟ ଆସନ୍ତା ୭ ଦିନ ପାଇଁ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ମନମୋହନ ସିଂହ ଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବାରୁ ଚଳିତ ବର୍ଷ ଦଳର ପ୍ରତିଷ୍ଠା ଦିବସ ବି ପାଳନ କରାଯିବନି ବୋଲି ସୂଚନା ଜାରି କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ ଦଳର ପତାକା ଅର୍ଦ୍ଧନତ ଅବସ୍ଥାରେ ରହିବ ।
ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି “ଦେଶର ସବୁଠୁ ଅଧିକ ପ୍ରତିଷ୍ଠିତ ନେତାଙ୍କ ମଧ୍ୟରୁ ଅନ୍ୟତମ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନଙ୍କ ବିୟୋଗରେ ଭାରତ ଶୋକ ବ୍ୟକ୍ତ କରୁଛି । ଦେଶରେ ଆର୍ଥିକ ନୀତି ଉପରେ ସେ ଗଭୀର ଛାପ ଛାଡିଯାଇଛନ୍ତି । ସଂସଦରେ ତାଙ୍କ ଭାଷଣ ଅତ୍ୟନ୍ତ ଅନ୍ତଦୃଷ୍ଟିସଂପନ୍ନ ରହିଥିଲା ।”
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନମୋହନ ସିଂହଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । “ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ସେହି ବିରଳ ରାଜନେତାଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଶିକ୍ଷା ଓ ପ୍ରଶାସନ ଜଗତକୁ ସହଜରେ ସମାନଭାବେ ବିସ୍ତାର କରିଥିଲେ । ବିଭିନ୍ନ ପଦପବୀରେ ରହି ଭାରତୀୟ ଅର୍ଥନୀତିରେ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଥିଲେ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ରାଷ୍ଟ୍ରୀପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ”
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବାର୍ତ୍ତାରେ କହିଛନ୍ତି, “ସ୍ୱର୍ଗତ ସିଂହ ଦେଶର ଜଣେ ମହାନ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦ କ୍ଷତା ପାଇଁ ସାରା ବିଶ୍ୱରେ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଅର୍ଥମନ୍ତ୍ରୀ ଭାବେ ଦେଶରେ ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲା ।”