ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଦଳାଚକଟା; ଚାଲିଗଲା ୧୮ ଜୀବନ

ବାସ୍ତବ ବ୍ୟୁରୋ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଯାଇଛି ବଡ ଅଘଟଣ । ଶନିବାର ରାତିରେ ମହାକୁମ୍ଭ ଯିବା ପାଇଁ ଶ୍ରଦ୍ଧାଳୁମାନେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ । ପ୍ରୟାଗରାଜ ଯିବାକୁ ଥିବା ଦୁଇଟି ଟ୍ରେନ୍‌ ବିଳମ୍ବ ହେବାରୁ ଯାତ୍ରୀମାନଙ୍କ ସଂଖ୍ୟା ଅତ୍ୟଧିକ ବଢ଼ିଯାଇଥିଲା । ଫଳରେ ୧୩  ଓ ୧୪ ନମ୍ବର ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ହୋଇଥିଲା । ରାତି ପ୍ରାୟ ୧୦ ବେଳେ ଟ୍ରେନ୍ ପ୍ରୟାଗରାଜ ଯିବା ନେଇ ଘୋଷଣା ହେବା ପରେ ଟ୍ରେନ୍ ଧରିବାକୁ ଲୋକଙ୍କ ମଧ୍ୟରେ ଧାଁ ଦୌଡ଼ ହୋଇଥିଲା । ଫଳରେ ଅସମ୍ଭାଳ ଭିଡ଼ି ଯୋଗୁଁ ଦଳାଚକଟା ହୋଇଥିଲା । ଏହି ଅଘଟଣରେ ୧୮ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆର୍‌ପିଏଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଦିଲ୍ଲୀ ପୋଲିସ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ଭିଡ଼ରେ ଅଣନିଶ୍ବାସୀ ହୋଇ ଅଚେତ ହୋଇପଡ଼ିଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲ ଯାଇଥିଲା । 

ତେବେ ବିନା ଟିକେଟରେ ଏତେ ସଂଖ୍ୟକ ଲୋକ ଷ୍ଟେସନ ଭିତରକୁ କେମିତି ପ୍ରବେଶ କଲେ, ଦିଲ୍ଲୀ ପୋଲିସ ତାକୁ ନେଇ ତଦନ୍ତ କରୁଛି । ଦିଲ୍ଲୀ ଉପରାଜ୍ୟପାଳ ଭି କେ ସକ୍ସେନା ଓ ଦିଲ୍ଲୀର କାମଚଳା ମୁଖ୍ୟମନ୍ତ୍ରୀ ଆତିଶୀ ଏଲ୍‌ଏନ୍‌ଜେପି ହସ୍ପିଟାଲ ପରିଦର୍ଶନ କରି ଆହତଙ୍କୁ ଭେଟିଛନ୍ତି ।

ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦଳଚକଟା କିପରି ହେଲା, ଉତ୍ତର ରେଲଓ୍ବେ ପକ୍ଷରୁ ବୟାନ ଜାରି ହୋଇଛି । ସିପିଆରଓ ହିମାଂଶୁ ଶେଖର କହିଛନ୍ତି, ଅଘଟଣ ଘଟିବା ସମୟରେ ୧୪ ନମ୍ବର ପ୍ଲାଟଫର୍ମରେ ମଗଧ ଏକ୍ସପ୍ରେସ ଏବଂ ୧୫ ନମ୍ବର ପ୍ଲାଟଫର୍ମରେ ଜାମ୍ମୁ ଯାଉଥିବା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ ଛିଡ଼ା ହୋଇଥିଲା । ଏହି ସମୟରେ ପ୍ରୟାଗରାଜ ଯିବାକୁ ଥିବା ଟ୍ରେନ୍ ପ୍ରଥମେ ୧୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ପହଞ୍ଚିବା ନେଇ ଘୋଷଣା ହୋଇଥିଲା । ପରେ ୧୬ ନମ୍ବର ପ୍ଲାଟଫର୍ମରେ ଆସିବା ନେଇ ଘୋଷଣା ହେବାରୁ ଯାତ୍ରୀମାନେ ଦୌଡ଼ାଦୌଡ଼ି କରିଥିଲେ । ଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି ବୋଲି ସିପିଆରଓ ହିମାଂଶୁ ଶେଖର କହିଛନ୍ତି ।

ସେପଟେ ଏହି ଅଘଟଣରେ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଦଳଚକଟାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୧୦ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବ । ସେହିପରି ଗୁରୁତରଙ୍କୁ ୨.୫୦ ଲକ୍ଷ ଲେଖାଏଁ ଏବଂ ଆହତ ବା ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଲେଖାଏଁ ସହୟତା ରାଶି ମିଳିବା ନେଇ ଘୋଷଣା ହୋଇଛି ।  

ସେୟାର କରନ୍ତୁ

Next Post

ଓଡ଼ିଶା ବଜେଟ୍‌ ୨୦୨୫-୨୬

Mon Feb 17 , 2025
ବାସ୍ତବ ବ୍ୟୁରୋ: ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ । ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟର ପ୍ରଥମ ଭାଗରେ ସେ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ । କୃଷି […]

You May Like

Pin It on Pinterest