ବାସ୍ତବ ବ୍ୟୁରୋ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି । ବହୁ କଳ୍ପନା ଜଳ୍ପନା ପରେ ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ତାଙ୍କ ନାମ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ । ଆସନ୍ତାକାଲି ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ରାମଲୀଳା ମୈଦାନରେ ଭବ୍ୟ ଶପଥ ସମାରୋହ ।
ଆଉ ନାଁ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ରେଖା । ସେ କହିଛନ୍ତି, “ସବୁ ଦଳର ଆଶୀର୍ବାଦ । ମତେ ମୁଖ୍ୟମନ୍ତ୍ରୀ ପାଇଁ ଭରସା କରି ଦାୟିତ୍ବ ଦେଇଥିବାରୁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ବ ଏବଂ ବିଧାୟକଙ୍କୁ ଅନେକ ଅନେକ ଧନ୍ୟବାଦ ।”
ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବା ସହିତ ତିନିଥର ମ୍ୟୁନିସିପାଲିଟି କାଉନସିଲର ହୋଇଥିବା ରେଖା ଗୁପ୍ତା ଏଥର ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶାଲିମାର ବାଗ ବିଧାନସଭା ଆସନରେ ରେଖା ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍ର ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ। ରେଖା ଗୁପ୍ତାଙ୍କୁ ୬୮,୨୦୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବନ୍ଦନା କୁମାରୀଙ୍କୁ ୩୮,୬୦୫ ଖଣ୍ଡ ଭୋଟ୍ ମିଳିଥିଲା।
ଆମେ କହି ରଖୁଛୁ ଯେ, ପୂର୍ବରୁ ସୁଷମା ସ୍ବରାଜ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ୧୨ ଅକ୍ଟୋବର ୧୯୯୮ରୁ ୩ ଡିସେମ୍ବର ୧୯୯୮ ମାତ୍ର ୫୨ ଦିନ ଯାଏଁ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସୁଷମା । ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବେ । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିର ଆତିଶୀ ମାର୍ଲେନା, ୧୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବା ବେଳେ ଶୀଲା ଦୀକ୍ଷିତ ସବୁଠୁ ଦୀର୍ଘତମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିଲେ । ଶୀଲା କଂଗ୍ରେସ ସରକାରରେ ୧୫ ବର୍ଷ ୨୫ ଦିନ ଦିଲ୍ଲୀର ଦାୟିତ୍ବ ନେଇଥିଲେ । ପ୍ରଥମେ ସୁଷମା, ପରେ ଶୀଲା, ତାପରେ ଆତିଶୀ ଏବଂ ଏବେ ଦିଲ୍ଲୀ ଗାଦିରେ ବସିଛନ୍ତି ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।