ବାସ୍ତବ ବ୍ୟୁରୋ : ସାରା ଦେଶରେ ଆରମ୍ଭ ହେବାକୁଥିବା ଜନଗଣନା ସହ ଜାତିଭିତ୍ତିକ ଡାଟା ମଧ୍ୟ ଏକାଠି କରାଯିବ । ଏଥିପାଇଁ ଜନଗଣନା ଫର୍ମରେ ଜାତିର ଏକ ଘର ଦିଆଯିବ । ଏହି ଆଧାରରେ ଦେଶରେ କେଉଁ ଜାତିର କେତେ ଲୋକ ଅଛନ୍ତି ତାର ସୂଚନା ଏକାଠି କରାଯିବ ।
କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ବାବଦ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ ସାମ୍ୱାଦିକଙ୍କୁ ସମ୍ୱୋଧନ କରି କହିଛନ୍ତି ଯେ ଆଜି ହୋଇଥିବା କ୍ୟାବିନେଟ୍ କମିଟି ଅନ୍ ପଲିଟିକାଲ୍ ଆଫାୟର୍ସରେ ଜାତି ଜନଗଣନା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଐତିହାସିକ ପଦକ୍ଷେପ କୁହାଯାଉଛି, କାରଣ ଏବେ ସୁଦ୍ଧା ଜାତି ଗଣନା ମୂଳ ଜନଗଣନାର ଅଂଶ ନଥିଲା ।
ସରକାରଙ୍କ ପାଇଁ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ସହିତ ଦେଶର ସମ୍ବଳର ସମାନ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଜନଗଣନା ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଜନସଂଖ୍ୟା ନୁହେଁ ବରଂ ଜନସଂଖ୍ୟା, ଅର୍ଥନୈତିକ ସ୍ଥିତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ମଧ୍ୟ ପ୍ରକାଶ କରେ ।
୧୯୫୧ ମସିହାରୁ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯାଉଥିଲା, କିନ୍ତୁ ୨୦୨୧ରେ କରୋନା ମହାମାରୀ ଯୋଗୁଁ ଜନଗଣନାକୁ ସ୍ଥଗିତ ରଖାଯାଇଥିଲା । ଜାତୀୟ ଜନସଂଖ୍ୟା ପଞ୍ଜିକା (NPR)କୁ ଅପଡେଟ୍ କରିବା କାମ ମଧ୍ୟ ବାକି ରହିଛି । ଜନଗଣନା କେବେଠୁ ଆରମ୍ଭ ସେନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ । ସୂତ୍ର ଅନୁଯାୟୀ, ଜନଗଣନା ତଥ୍ୟ 2026ରେ ପ୍ରକାଶିତ ହେବ ।
ଅନ୍ୟପଟେ କଂଗ୍ରେସ କହିଛି ଯେ ଆମ ପାର୍ଟି ପକ୍ଷରୁ ଲଗାତାର ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ବାସ୍ତବିକ ସ୍ୱାଗତଯୋଗ୍ୟ। ଏବେ ପ୍ରଧାନମନ୍ତ୍ରୀ ଏଥି ପାଇଁ ତାରିଖ ଘୋଷଣା କରନ୍ତୁ।