ବାସ୍ତବ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି ।
ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀମାନେ ଯେଉଁ ବର୍ବରତା ଦେଖାଇଥିଲେ, ତାହା ବିଶ୍ୱକୁ ଦୋହଲାଇ ଦେଇଥିଲା । ନିର୍ଦ୍ଦୋଷଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ ଆତଙ୍କୀ । ମୋ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶବାସୀ, ପ୍ରତ୍ୟେକ ବର୍ଗ ଓ ରାଜନୈତିକ ଦଳ ଏକସ୍ୱରରେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଠିଆ ହୋଇଛନ୍ତି । ଆମେ ଆତଙ୍କୀଙ୍କୁ ମାଟିରେ ମିଶାଇବାକୁ ଭାରତୀୟ ସେନାର ହାତ ଖୋଲି ଦେଇଥିଲୁ ।
ଆଜି ପ୍ରତ୍ୟେକ ଆତଙ୍କୀ ସଂଗଠନ ଜାଣିଲା, ଆମ ଝିଅଙ୍କ ମଥାରୁ ସିନ୍ଦୂର ପୋଛିବାର ପରିଣାମ କଣ । ‘ଅପରେସନ ସିନ୍ଦୂର’ କେବଳ ଗୋଟିଏ ନାଁ ନୁହେଁ, ଏହା କୋଟିକୋଟି ଦେଶବାସୀଙ୍କ ଭାବନାର ପ୍ରତିବିମ୍ବ । ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ମେ ୬ ତାରିଖ ରାତି ଓ ମେ ୭ ସକାଳୁ ଏହି ପ୍ରତିଜ୍ଞା ପରିମାଣର ରୂପ ନେଉଥିବା ଦେଖିଥିଲା ସାରା ବିଶ୍ୱ । ଯବାନମାନେ ଆତୀଙ୍କ ଟ୍ରେନିଂ ସେଣ୍ଟର ଉପରେ ପ୍ରହାର କରିଥିଲେ । ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆତଙ୍କୀମାନେ ସ୍ୱପ୍ନରେ ବି ଭାବିନଥିଲେ ।“
ଅପରେସନ ସିନ୍ଦୂର ଏବେ ଆତଙ୍କ ବିରୋଧରେ ଭାରତର ନୂଆ ରଣନୀତି । ଏହାକୁ ଏବେ ସ୍ଥଗିତ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଷ୍ଟ୍ରକୁ ସମ୍ବୋଧିତ କରି ପିଏମ୍ ମୋଦି ତିନୋଟି କଥାକୁ ନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ପ୍ରଥମ ହେଉଛି, ଆତଙ୍କୀ ହମଲା ହେଲେ ମୁହଁତୋଡ଼ ଜବାବ ଦିଆଯିବ । ଆତଙ୍କବାଦର ମୂଳୋତ୍ପାଟନ ନହେବା ଯାଏ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଦ୍ବିତୀୟରେ ପଡ଼ୋଶୀ ଦେଶର ପରମାଣୁ ଧମକକୁ ଭାରତ ଆଉ ସହିବ ନାହିଁ ଏବଂ ତୃତୀୟରେ ଆତଙ୍କବାଦକୁ ସମର୍ଥନ କରୁଥିବା ସରକାର ଓ ଆତଙ୍କୀ ଆକ୍କାଙ୍କୁ ଆଉ ଭିନ୍ନ ଭିନ୍ନ ଭାବେ ଦେଖାଯିବ ନାହିଁ ।



