ବାସ୍ତବ ବ୍ୟୁରୋ: ଆଜି ମହାରାଷ୍ଟ୍ରର ପୁଣେରେ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ପୋଲର ଅଧା ଅଂଶ ଭାଙ୍ଗି ପଡ଼ିବାରୁ ୨୫ରୁ ୩୦ ଜଣ ଲୋକ ନଦୀରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ଯେତେବେଳେ ପୋଲଟି ଭୁଶୁଡ଼ି ପଡ଼ିଥିଲା, ସେହି ପୋଲ ଉପରେ ଅନେକ ଲୋକ ଉପସ୍ଥିତ ଥିଲେ।
ରବିବାର ଥିବାରୁ ସେଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଉପସ୍ଥିତ ଥିଲେ। କିଛି ଲୋକ ପୋଲ ଉପରେ ଠିଆ ହୋଇ ଫଟୋ ଉଠାଇଥିଲେ। ଘଟଣାସ୍ଥଳରେ ପ୍ରାୟ ୨୦୦ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏହି ଘଟଣା ଅପରାହ୍ନ ପ୍ରାୟ ୩.୪୦ ସମୟରେ ଘଟିଥିଲା। ପିମ୍ପରି-ଚିଞ୍ଚୱାଡ ପୁଲିସ କମିଶନରେଟ ଅନ୍ତର୍ଗତ ତାଲେଗାଁଓ ଦାଭାଡେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୫-୬ ଜଣକ ଉଦ୍ଧାର କରିଥିବାବେଳେ, ୬ ଜଣକ ମୃତଦେହ ମିଳିଥିବା ଜଣାପଡ଼ିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନାନୁଯାୟୀ, ପୋଲଟି ପୂର୍ବରୁ ହିଁ ଖରାପ ଅବସ୍ଥାରେ ଥିଲା। ପ୍ରାୟ ୨-୩ ମାସ ତଳୁ ଏହା ଉପରେ ଗାଡ଼ି ଚଳାଚଳ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।