
ବାସ୍ତବ ବ୍ୟୁରୋ: ଚୀନ ଓ ଭାରତ ସୀମା ବିବାଦକୁ ନେଇ ଆଜି ହୋଇଥିବା ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମର କୌଣସି ପୋଷ୍ଟ କାହା କବଜାରେ ନାହିଁ । ଆମର ଗୋଟିଏ ବି ଇଞ୍ଚ ଜାଗାକୁ କେହି ଆଖି ଉଠେଇ ଦେଖିପାରିବେ ନାହିଁ । ଭାରତ ମାତା ଉପରେ କେହି ନଜ଼ର ପକାଇବ ତ ପରିଣାମ ଭୟଙ୍କର ହେବ, ଦେଶର ସୁରକ୍ଷା ପାଇଁ ସେନା ସବୁ କିଛି କରିପାରେ ଏବଂ ତାଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି ।
ସୀମାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୀମାରେ ହୋଇଥିବା ଗତିବିଧି ନେଇ ପ୍ରତେକ ସୂଚନା ମିଳୁଛି । ସଂଘର୍ଷ ପରେ ସୀମା ତଦାରଖ ବଢ଼ାଇ ଦିଆଯାଇଛି ଏବଂ ଭିତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଅଛି । ଆମ ସେନା ପଛରେ ଦେଶବାସୀ ଚଟାଣ ପରି ଛିଡ଼ା ହୋଇଛନ୍ତି, ଆମ ବୀର ଯବାନଙ୍କ ବଳିଦାନ ଦେଶବାସୀଙ୍କୁ ମନେ ରହିବ ।
ଏହି ବୈଠକରେ ପ୍ରତିରକ୍ଷା ରାଜନାଥ ସିଂ ଗୃହମନ୍ତ୍ରୀ ଅମିତ ସାହା ଏବଂ ବୈଦେଶିକ ମନ୍ତ୍ରୀ ଏ.ଏସ. ଜୟ ଶଙ୍କର ଉପସ୍ଥିତ ଥିଲେ । ଏଥିସହ ୨୦ଟି ରାଜନୈତିକ ଦଳର ସଭାପତି ଯୋଗ ଦେଇ ସେମାନଙ୍କର ମତ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସୋନିଆ ଗାନ୍ଧୀ କହିଛନ୍ତି କି,ସୀମା ସ୍ଥିତି ବାବଦରେ ସରକାର ଦେଶବାସୀଙ୍କ ସ୍ପଷ୍ଟ କରିବା ଦରକାର ।ଚୀନ ସେନା ଆକ୍ରମଣ ଗୁଇନ୍ଦା ବିଭାଗର ବିଫଳତା ପାଇଁ ହୋଇନାହିଁ ତ ? ଏହା କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରେ ରାତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁଇନ୍ଦା ବିଫଳତା ପାଇଁ ଏପରି ହୋଇନାହିଁ ବୋଲି ସ୍ପଷ୍ଟ କରିଥିଲେ ।
ଚୀନ-ଭାରତ ପ୍ରସଙ୍ଗରେ କେନ୍ଦ୍ର ସରକାର ଯାହା ନିଷ୍ପତି ନେବେ ବିଜୁ ଜନତା ଦଳ ତାହାକୁ ନିସର୍ତ୍ତରେ ସମର୍ଥନ ଦେବ ବୋଲି ବିଜେଡି ତରଫରୁ ବୈଠକରେ ଯୋଗ ଦେଇଥିବା ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି । ଭାରତ ସବୁବେଳେ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ,ଏ କଥା ଚୀନକୁ ସ୍ପଷ୍ଟ ଭାଷାରେ ଜଣାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।




