
ବାସ୍ତବ ବ୍ୟୁରୋ- ଧୀରେ ଧୀରେ ଏଲଏସିରୁ ପଛକୁ ହଟୁଛି ଡ୍ରାଗନ । ଚୀନ୍ ଏବଂ ଭାରତୀୟ ସେନା ଦ୍ୱାରା ଅନେକ ଥର ବୈଠକ ହେବା ପରେ ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ରେ ଦୁଇ ଦେଶ ମଧ୍ୟରେ ଥିବା ସ୍ଥିତି ବଦଳୁଛି । ସୋମବାର ହଟ୍ ସ୍ପ୍ରିଙ୍ଗ୍ସରୁ ଚୀନ୍ ସେନା ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା ଗୁରୁବାର ଶେଷ ହୋଇଛି ।
ସୂଚନାନୁଯାୟୀ, “ଭାରତ-ଚୀନ୍ ବିବାଦ ମଧ୍ୟରେ ଗୁରୁବାର ପିପି -୧୭ (ପାଟ୍ରୋଲିଂ ପଏଣ୍ଟ ୧୭, ହଟ ସ୍ପ୍ରିଙ୍ଗ୍ସ) ରେ ଶେଷ ହୋଇଛି। ଏଥିସହ, ପିପି-୧୪, ଏବଂ ପିପି-୧୫ ଉପରେ ଥିବା ତିକ୍ତତା ଏବେ ଏକ ପ୍ରକାର ସ୍ୱାଭାବିକ ହୋଇଥିବା ସୂଚନା ରହିଛି।” ଗଲଓ୍ୱାନ୍ ଉପତ୍ୟକାରେ ବିବାଦ ସ୍ଥଳରୁ ଚୀନ୍ ଏବଂ ଭାରତୀୟ ସୌନ୍ୟମାନେ ପ୍ରାୟ ୧.୮ କିଲୋମିଟର ପଛକୁ ଫେରିଛନ୍ତି।
ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ ଗୁରୁବାର କହିଛନ୍ତି, “ସୀମାରେ ସ୍ଥିତି ସ୍ଥିର ରହିଛି ଏବଂ ସୁଧାର ଆସୁଛି। ସୀମା ପ୍ରସଙ୍ଗରେ ଡବ୍ଲୁଏମ୍ଏମସି ବୈଠକ ସମେତ ଉଭୟ ପକ୍ଷ ସାମରିକ ଏବଂ କୂଟନୀତିକ ଫୋରମରେ କଥାବାର୍ତ୍ତା ଏବଂ ଯୋଗାଯୋଗ ଜାରି ରଖିବେ।”
ଗୃହ ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ, ଜୁନ୍ ୬ ରୁ ତିନି ରାଉଣ୍ଡ ଆଲୋଚନା ଚାଲିଛି। ଜୁନ୍ ୩୦ ରେ, ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ପ୍ରାୟ ୧୦ ଘଣ୍ଟା ପାଇଁ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଭାରତ ଏବଂ ଚୀନ୍ ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ୱୟ (ଡବ୍ଲୁଏମ୍ଏମସି) ପାଇଁ ରାଉଣ୍ଡ ବୁଝାମଣା ଆଗାମୀ ଦିନରେ ଜାରି ରଖିବ।




