
ବାସ୍ତବ ବ୍ୟୁରୋ-ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସୋମବାର ଦାବି କରିଛନ୍ତି ଯେ,ପ୍ରଭୁ ରାମଚନ୍ଦ୍ର ଭାରତର ନୁହେଁ ନେପାଳର,ତାଙ୍କ ଦେଶରେ ଜନ୍ମ ହୋଇଥିଲେ ଏବଂ ଅଯୋଧ୍ୟା ବାସ୍ତବରେ କାଠମାଣ୍ଡୁ ନିକଟରେ ଏକ ଛୋଟ ଗାଁ । ସେ ଭାରତକୁ “ସାଂସ୍କୃତିକ ଅତ୍ୟାଚାର ଏବଂ ଏନକାଉଣ୍ଟର” ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ତାଙ୍କ ବାସଭବନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲି କହିଛନ୍ତି ଯେ “ଆମେ ତଥାପି ବିଶ୍ୱାସ କରୁ ଯେ ଆମେ ସୀତାଙ୍କୁ ରାଜକୁମାର ରାମଙ୍କୁ ଦେଇଥିଲୁ କିନ୍ତୁ ଆମେ ରାଜକୁମାରଙ୍କୁ ମଧ୍ୟ ଭାରତ ନୁହେଁ ଅଯୋଧ୍ୟା ଠାରୁ ଦେଇଥିଲୁ । “ଅଯୋଧ୍ୟା ବିରଗୁଞ୍ଜର ଟିକିଏ ପଶ୍ଚିମ [ଏକ ନେପାଳର ଏକ ଜିଲ୍ଲା ଯାହା ରାଜଧାନୀ କାଠମାଣ୍ଡୁ ଠାରୁ 135 କିଲୋମିଟର ଦୂରରେ ଅବସ୍ଥିତ] | ସାଂସ୍କୃତିକ ଦୃଷ୍ଟିରୁ ଆମକୁ ଟିକେ ଅତ୍ୟାଚାର କରାଯାଇଛି। ତଥ୍ୟକୁ ଏନକାଉଣ୍ଟର କରାଯାଇଛି। ”
ଭାରତରେ ନକଲି ଅଯୋଧ୍ୟା ନର୍ମାଣ ହୋଇଛି । ଅସଲରେ ଅଯୋଧ୍ୟା ନେପାଳରେ ରହିଛି । ସେ ତାଙ୍କ ଯୁକ୍ତି ଦର୍ଶାଇ କହିଛନ୍ତି, ଯଦି ଭାରତରେ ଅଯୋଧ୍ୟା ବାସ୍ତବିକ ତା’ହେଲେ ରାଜକୁମାର ବିବାହ ପାଇଁ ଜନକପୁର କେମେତି ଆସିବେ? ସେ ଆହୁରି କହିଛନ୍ତି, ବିଜ୍ଞାନର ଉତ୍ପତ୍ତି ଏବଂ ଏହାର ବିକାଶ ନେପାଳରେ ହୋଇଛି ।
ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଏହି ବିବାଦୀୟ ବୟାନ ପୁଣି ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ପୂର୍ବରୁ ନେପାଳ ଭାରତର ଲିପୁଲେଖ, କଳାପାଣି, ଲିମ୍ପ୍ୟାଧୁରାକୁ ନେପାଳ ନିଜର ମାନଚିତ୍ରରେ ଦର୍ଶାଇ ବିବାଦ ସୃଷ୍ଟି କରିଥିଲା । ନେପାଳ ଜାରି କରିଥିବା ଏହି ନୂତନ ମାନଚିତ୍ରକୁ ନେପାଳ ସଂସଦ ମଞ୍ଜୁର କରିଥିଲା। ଭାରତର ଏହି ୩ଟି ଭୂଖଣ୍ଡକୁ ନିଜର ଦାବି କରିବା ପରେ ଏବେ ଅଯୋଧ୍ୟା ଏବଂ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କର ବୋଲି କହି ପ୍ରଧାନମନ୍ତ୍ରୀ ଓଲି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେହିଭଳି ଗତ ସପ୍ତାହରେ ନେପାଳ ସରକାର କେବଳ ଦୂରଦର୍ଶନ ବ୍ୟତୀତ ସମସ୍ତ ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରିଦେଇଛନ୍ତି। ଏହା ଫଳରେ ନେପାଳ ଓ ଭାରତ ମଧ୍ୟରେ ସର୍ମ୍ପକ ତିକ୍ତ ହେବାରେ ଲାଗିଛି।




