
ବାସ୍ତବ ବ୍ୟୁରୋ-ବୁଧବାର ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନର ୫ ନମ୍ବର ତୈଳକୂପରେ ଅଗ୍ନିକାଣ୍ଡର ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଉଲ୍ଲେଖନୀୟ କଥା ହେଉଛି, ଏକ ମାସରୁ ଅଧିକ ସମୟ ଧରି ଏହି କୂଅରେ ନିଆଁ ଜଳୁଛି । ଏପରିିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ଘଟଣାସ୍ଥଳରେ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସିଂଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ । ଏହି ଦଳରେ ସିଂଗାପୁରର ୩ ଜଣ, ଆମେରିକାର ୨ ଜଣ ଓ କାନାଡାର ଜଣେ ନାଗରିକ ଥିଲେ ।
କୂଅର 1.5 କିଲୋମିଟର ବ୍ୟାସାର୍ଦ୍ଧରେ ରହୁଥିବା ହଜାର ହଜାର ଲୋକଙ୍କୁ ସୁରକ୍ଷା ପାଇଁ ସ୍ଥାନାନ୍ତର କରାଯାଇଛି। ସେବେଠାରୁ ସେମାନେ ରିଲିଫ୍ କ୍ୟାମ୍ପରେ ରହୁଥିଲେ। ବିସ୍ଥାପିତ ବାସିନ୍ଦାଙ୍କୁ କମ୍ପାନୀ 30,000 ଟଙ୍କା କ୍ଷତିପୂରଣ ଘୋଷଣା କରିଛି ।




