
ବାସ୍ତବବ୍ୟୁରୋ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କହିଛନ୍ତିକି,ଏହି ଯୋଜନାରେ ଓଡିଶାର ୪୦ ଲକ୍ଷ ୫୦ ହଜାର ଚାଷୀ ଯେପରି ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଳ୍ପଦିନ ପୂର୍ବରୁ ପିଏମ କିଷାନ ନିଧି ଯୋଜନାରେ ଦେଶବ୍ୟାପୀ ସାଢେ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିଭାଗୀୟ ତଥ୍ୟ ଅନୁସାରେ ଓଡିଶାର ୪୦.୫ ଲକ୍ଷ ଚାଷୀ ଅନ୍ତର୍ଭୃକ୍ତ ଅଛନ୍ତି । କିନ୍ତୁ ସପ୍ତମ କିସ୍ତିରେ ଓଡିଶାର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ପାଇଥିଲେ । ଷଷ୍ଠ କିସ୍ତିରେ ମଧ୍ୟ କମ୍ ଚାଷୀ ଯୋଜନାର ଲାଭ ପାଉଥିବା ଏବଂ କିଛି ଚାଷୀ ବଞ୍ଚିତ ହେଉଥିବା ଦେଖାଯାଇଛି ।
ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି । ଓଡିଶାର ଚାଷୀ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ରାଜ୍ୟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଚାଷୀ, ଜିଡିପିର ଏକ ପଂଚମାଂଶରେ ଯୋଗଦାନ ରଖୁଛନ୍ତି । ଭାରତ ସରକାର ଗତ ୬ ବର୍ଷରେ ଅନ୍ନଦାତାଙ୍କ ଉନ୍ନତି ପାଇଁ ଅନେକ ବଡ ସଂସ୍କାର ଆଣିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏହା ମଧ୍ୟରୁ ଅନ୍ୟତମ । ତେଣୁ ଓଡିଶାରେ ପିଏମ କିଷାନ ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସଠିକ୍ ଲାଭ ନମିଳିବା ଏବଂ କୋଭିଡ୍ ସମୟରେ ଚାଷୀଙ୍କୁ ପିଏମ କିଷାନ ଟଙ୍କାରୁ ବଂଚିତ କରିବା ଦୁଃଖଦାୟକ ।