ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶାର ଧାନ କିଣା ପ୍ରସଙ୍ଗ ଏବେ ଦିଲ୍ଲୀ ଦରବାରରେ, ଚାଷୀଙ୍କ ଧାନ କିଣା ନେଇ ଓଡ଼ିଶା ସରକାରଙ୍କୁ ହଙ୍ଗେରୀଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। ସରକାରଙ୍କ ଠାରୁ ଠୋସ୍ ପ୍ରତିଶ୍ରୁତି ମାଗି ବିଧାନସଭାକୁ ଚାରି ଦିନ ହେଲା ଅଚଳ କରିଛନ୍ତି । ସରକାର ସବୁ ଧାନ କିଣିବାକୁ ନିର୍ଭର ପ୍ରତିଶ୍ରୁତି ଦେଲେ ଯାଇ ଗୃହ ଚାଲିବ ବୋଲି ସେମାନେ ଅଡ଼ି ବସିଥିବାବେଳେ,ସେପଟେ ବିଜେଡି ବିଜେପି କେନ୍ଦ୍ରସରକାରଙ୍କ ହସ୍ତକ୍ଷେପ ଲୋଡୁଛନ୍ତି ।

ଏ ସଂପର୍କରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପି ସାଂସଦମାନେ ଭେଟି ବିଭିନ୍ନ ମଣ୍ଡିରେ ପଡ଼ିରହିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ ଲାଗି ଦାବି କରିଛନ୍ତି। ଏହା ପୂର୍ବରୁ ବିଜେଡି ସାଂସଦମାନେ ମଧ୍ୟ ଶ୍ରୀ ଗୋଏଲଙ୍କୁ ଭେଟି, ବକେୟା ସବ୍ସିଡି ଅର୍ଥ ତୁରନ୍ତ ପ୍ରଦାନ ଲାଗି ଦାବି କରିଥିଲେ।ବିଜେଡି ଭଳି ବିଜେପି ମଧ୍ୟ ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକପତ୍ର ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ପରେ ଧରେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି କି, ‘‘ଓଡିଶାର ବିଜେପି ସାଂସଦ ସହଯୋଗୀ ମାନଙ୍କ ସହ ସେ ପୀୟୂଷ ଗୋଏଲଙ୍କୁ ଦେଖା କରିଥିଲେ। ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ଲାଗି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ପାଇଁ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ ପାଇଁ ଆମେ ଅନୁରୋଧ କଲୁ। ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଗୋଏଲ ପ୍ରତିଶ୍ରୁତି ଦେଇଛନ୍ତି।’’



